ୟୁରୋପ ଭାରତର କଡ଼ା ଜବାବ

0

ନୂଆଦିଲ୍ଲୀ: ୟୁକ୍ରେନ୍‌ ସହ ଲଢ଼େଇ କରୁଥିବା ରୁଷ୍‌ରୁ ତେଲ କିଣା ଜାରି ରଖିଥିବାରୁ ଭାରତକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସମାଲୋଚନା କରୁଛନ୍ତି। ତଥାପି ଭାରତ ତେଲ କିଣା ବନ୍ଦ କରୁନାହିଁ। ଓଲଟା ସେମାନଙ୍କୁ ଜବାବ ଦେଇଛି। ଦୁଇ ରାଷ୍ଟ୍ର ଗସ୍ତରେ ଯାଇ ସାଇପ୍ରସ୍‌ରେ ପହଞ୍ଚିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ରୁଷ୍‌ରୁ ତେଲ ନକିଣିବା ଲାଗି ଭାରତକୁ ପରାମର୍ଶ ଦେଉଥିବା ୟୁରୋପର ସେ ମୁଖା ଖୋଲିଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୨ ଫେବ୍ରୁଆରି ପରେ ଭାରତ ତୁଳନାରେ ରୁଷ୍‌ରୁ ୟୁରୋପ ୬ ଗୁଣା ଅଧିକ ତେଲ କିଣିଛି। ରୁଷ୍‌ରୁ ୟୁରୋପ ତେଲ ଆମଦାନି ଏଭଳି ଢଙ୍ଗରେ ହ୍ରାସ କରିଛି ଯାହା ‌ସେମାନଙ୍କ ପାଇଁ ବେଶ ସହଜ ରହିଛି।

ମୁଣ୍ଡପିଛା ଆୟ ୬୦ ହଜାର ୟୁରୋ ଥିବା ଦେଶ ଯଦି ନିଜ ଲୋକଙ୍କ କଥା ଭାବିପାରୁଛି, ତେବେ ଆମ ମୁଣ୍ଡପିଛା ଆୟ ହେଉଛି ମାତ୍ର ୨୦୦୦ ଡଲାର। ଆମକୁ ଇନ୍ଧନ ଦରକାର ଏବଂ ଆମେ ସେଥିପାଇଁ ଚଢ଼ା ମୂଲ୍ୟ ଦେବା ସ୍ଥିତିରେ ନାହୁଁ ବୋଲି ଜୟଶଙ୍କର କହିଛନ୍ତି। ଯଦି ୟୁକ୍ରେନ୍‌କୁ ନେଇ ୟୁରୋପ ଏତେ ଚିନ୍ତିତ ତେବେ ‌ଗତବର୍ଷ ଫେବ୍ରୁଆରି ୨୫ଠାରୁ ଏହା କାହିଁକି ତେଲ ଆମଦାନି ବନ୍ଦ କରିନାହିଁ ବୋଲି ଜୟଶଙ୍କର ପ୍ରଶ୍ନ କରିଛନ୍ତି। ୟୁରୋପ ପାଇଁ ବିଶ୍ବ ବଜାରରେ ତୈଳ ମହଙ୍ଗା ହେଉଥିବା ଜୟଶଙ୍କର ଅଭିଯୋଗ କରିଛନ୍ତି। ସେ କହିଲେ, ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରରୁ ୟୁରୋପ ତେଲ କିଣିବା ଆରମ୍ଭ କରିବା ପରେ ସେଠାରେ ଦାମ୍ ବୃଦ୍ଧି ପାଇଛି। ତାହା ଅନ୍ୟମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ରିହାତି ମୂଲ୍ୟରେ ମିଳୁଥିବାରୁ ରୁଷ୍‌ରୁ ଭାରତ ସର୍ବାଧିକ ପରିମାଣର ତେଲ କିଣିବା ଜାରି ରଖିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯେତେ ଚାପ ପକାଇଲେ ମଧ୍ୟ ତେଲ କିଣିବା କମ୍ କରୁନାହିଁ। ଭାରତର ଯୁକ୍ତି ହେଉଛି ଶସ୍ତାରେ ମିଳୁଥିବାରୁ ଆମେ ତେଲ କିଣୁଛୁ। ଲଗାତାର ଦ୍ବିତୀୟ ମାସ ପାଇଁ ରୁଷ୍‌ରୁ ଭାରତ ସର୍ବାଧିକ ପରିମାଣର ତେଲ କିଣିଛି। ପୂର୍ବରୁ ଇରାକ୍ ଏବଂ ସାଉଦି ଆରବରୁ ‌ଭାରତ ଅଧିକ ତେଲ କିଣୁଥିଲା। ଗତବର୍ଷ ମାର୍ଚ୍ଚରେ ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତ ମାତ୍ର ୦.୨ ପ୍ରତିଶତ ତେଲ ରୁଷ୍‌ରୁ ଆଣୁଥିଲା।

Leave A Reply

Your email address will not be published.