ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଏବେ ଲହଡି ଭାଙ୍ଗୁଛି କୃଷ୍ଣଚୂଡ଼ା ଫୁଲ। ମହକ ସିନା ନାହିଁ, କିନ୍ତୁ ରଙ୍ଗ ଏମିତି ଯେ ଆପଣ ଆଖି ହଟାଇପାରିବେନି। ତାର ରକ୍ତିମ ଆଭା ବିମୋହିତ କରେ ସମସ୍ତଙ୍କୁ ସେତେ ଯେମିତି ତୃଷ୍ଣା ମେଣ୍ଟି ଯାଉଛି। ଏହି କୃଷ୍ଣଚୂଡ଼ାକୁ ନେଇ କାହାର କେତେ କଳ୍ପନା। କବିର ମନ ଆନମନା। କୃଷ୍ଣଚୂଡ଼ା ଆହୁରି ଲାଲ ଟହ ଟହ ହୋଇ ବିଛାଡି ଦେଉଛି ତାର ସୌନ୍ଦର୍ଯ୍ୟ।। ତା ରୂପରେ ବିମୋହିତ କରି ଦେଉଛି ଏ ଜଗତକୁ। ଦିନ ବଢିବା ସହ ଖରାରେ ଖିଲି ଖିଲି ହସୁଛି ସେ।
ପ୍ରଚଣ୍ଡ ଖରାରେ ତ୍ରାହି ତ୍ରାହି ଭଜୁଛି ସାରା ଜଗତ,କିନ୍ତୁ ସେ ହସୁଛି। ଖରାରେ ତାତିରେ ଝାଉଁଳି ପଡିଥିବା ପତ୍ର ମାନଙ୍କୁ କହୁଛି ଦେଖ ମୁଁ ସୂର୍ଯ୍ୟଙ୍କ ଆଖିରେ ଆଖି ମିଶାଇଛି, ତୁମେ ଯାହାର ଉତାପରେ ଝାଉଁଳି ପଡିଛି ମୁଁ ତାକୁ ପ୍ରେମରେ ଚାହିଁଛି। ମୁଣ୍ଡଫଟା ଖରା ହେଲେ ସେ ଆକାଶକୁ ଆଁ କରି ଦେଖେ। ଅନେକ ଯନ୍ତ୍ରଣାକୁ ଛାତିରେ ଚାପି ରଖି ଜୀବନକୁ ସୁଖର ଅର୍ଥ ବୁଝାଏ। ଅନ୍ୟ ଫୁଲ ଭଳି ତା ଭାଗ୍ୟରେ ଦିଅଁ ଦେଉଳ ନାହିଁ। ତାକୁ କେହି ମନ୍ଦିରକୁ ନିଅନ୍ତି ନାହିଁ । ତାକୁ କେହି ଈଶ୍ୱରଙ୍କ ପାଖକୁ ନିଅନ୍ତି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟ ତା ନାଁରେ ଈଶ୍ୱରଙ୍କ ନାଁ ଯୋଡି ଦିଆଯାଇଛି। ଆମେ ଯାହା କଥା କହୁଛୁ, ଦୁନିଆ ତାକୁ କୃଷ୍ଣଚୂଡ଼ା ନାଁରେ ଜାଣିଛି।