ମମତା ବାନାର୍ଜୀ ଏବଂ ଅଭିଷେକଙ୍କ ବିରୋଧରେ FIR, ନିର୍ବାଚନରେ ପରାଜୟ ପରେ ବଢ଼ିଲା ସମସ୍ୟା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଉଭୟ ନେତାଙ୍କ ବିପକ୍ଷରେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିବା ଅଭିଯୋଗରେ ମାମଲା ଦାୟର ହୋଇଛି । ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ କୋଲକାତାର ଭବାନୀପୁର ପୁଲିସ ଷ୍ଟେସନରେ ଏକ ନୂତନ ମାମଲା ରୁଜୁ କରାଯାଇଛି। ଭବାନୀପୁରର ବାସିନ୍ଦା ଅର୍ଣ୍ଣବକାନ୍ତି ଦାସ ନାମକ ଜଣେ ବ୍ୟକ୍ତିଙ୍କ ଏଫ୍ଆଇଆର୍ ଆଧାରରେ ଏହି ମାମଲା ରୁଜ ହୋଇଥିବା ଜଣାପଡ଼ିଛି ।
ଅଭିଷେକ ବାନାର୍ଜୀ ନିଜ କ୍ଷମତାର ଅପବ୍ୟବହାର କରିବା ସହ ସୋସିଆଲ ମିଡିଆରେ ଉତ୍ତେଜନପୂର୍ଣ୍ଣ ଭାଷଣ ଦେଇଥିବା ନେଇ ଅଭିଯୋଗ ହୋଇଛି । ଅର୍ଣ୍ଣବକାନ୍ତି ଏଫ୍ଆଇଆର୍ ସହିତ ସେହି ବିବାଦୀୟ ପୋଷ୍ଟ ମଧ୍ୟ ସଂଲଗ୍ନ କରିଛନ୍ତି। ଗତ ମେ’ ୨ ତାରିଖରେ ଅଭିଷେକ ବାନାର୍ଜୀ ନିଜ ‘X’ (ଟ୍ୱିଟର) ହ୍ୟାଣ୍ଡେଲରେ ଲେଖିଥିଲେ, ‘ତୁମେ ଯଦି ୧୦ ଥର ମଧ୍ୟ ଜନ୍ମ ହେବ, ତଥାପି ତୁମର ବାଂଲା-ବିରୋଧୀ ଗୁଜରାଟୀ ଗ୍ୟାଙ୍ଗ ମୋର ଡାଇମଣ୍ଡ ହାର୍ବର ମଡେଲର ସାମାନ୍ୟତମ କ୍ଷତି କରିପାରିବ ନାହିଁ।’ ଏହି ବୟାନକୁ ନେଇ ବର୍ତ୍ତମାନ ବିବାଦ ତୀବ୍ର ହୋଇଛି।
ଅଭିଷେକ ବାନାର୍ଜୀଙ୍କ ଉପରେ ଏହା ପ୍ରଥମ ମାମଲା ନୁହେଁ, ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଥିଲା। କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅମିତ ଶାହଙ୍କୁ ଧମକ ଦେଇଥିବା ଅଭିଯୋଗରେ ବିଧାନନଗର ସାଇବର କ୍ରାଇମ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ରାଜୀବ ସରକାର ନାମକ ଜଣେ ସାମାଜିକ କର୍ମୀଙ୍କ ଅଭିଯୋଗ ଆଧାରରେ ବିଏନଏସ୍ ବଂ ଜନପ୍ରତିନିଧି ଅଧିନିୟମର ପ୍ରାୟ ୬ଟି ଗୁରୁତ୍ୱପୂର୍ଣ୍ଣ ଧାରା ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।