ନବୀନଙ୍କ ନାଁରେ ରୁଜୁ ହେବ ଏଫଆଇଆର! ଜାଣନ୍ତୁ କାହିଁକି…

0

ଭୁବନେଶ୍ୱର (ଆମ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହେବ ଏଫଆଇଆର। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ନାମରେ ଥାନାରେ ଏତଲା ଦିଆଯିବ। ମିଛ ପ୍ରତିଶ୍ରୁତି ଓ ପ୍ରତାରଣା କରିବା ଅଭିଯୋଗରେ ଏପରି ଅଭିଯୋଗ କରିବ ନିଖିଳ ଓ ଠିକାଦାର ମହାସଂଘ। ନିଖିଳ ଓ ଠିକାଦାର ମହାସଂଘ ଗୁରୁବାର ଅର୍ଥାତ୍‌ ୧୮ ତାରିଖ ଦିନ ମଞ୍ଚେଶ୍ବର ଥାନାରେ ଏତଲା ଦେବ। ଏନେଇ ଆଜି ମହାସଂଘର ସଭାପତି ପ୍ରଭାତ ଦାଶ ଓ ସମ୍ପାଦକ ଭାଗ୍ୟଧର ଦାଶ ସୂଚନା ଦେଇଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି, ୨୦୧୯ ମସିହାରେ ଲୋୟର ପିଏମଜିରେ ୧୦ ଦଫା ଦାବି ନେଇ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏଥିରେ ବ ପ୍ରୋଜେକ୍ଟ କରି ରାଜ୍ୟ ବାହାର ଠିକାଦାରଙ୍କୁ ଟେଣ୍ଡର ନ ଦେବା ଓ ଠିକାଦାରଙ୍କୁ ବଡ଼କାମକୁ ଭାଗଭାଗ କରି ଦେବା, ପ୍ରତିବର୍ଷ ଆନୁଷଙ୍ଗିକ ଉପରକରଣ ଦର ବୃଦ୍ଧି କରିବା, ୧୪ .୯୯ ପ୍ରତିଶତ ପ୍ରକ୍ରିୟା ବନ୍ଦ କରିବା, ଲାଇସେନ୍ସଧାରୀଙ୍କ ପାଇଁ ୫୦ କୋଟି ପର୍ଯ୍ୟନ୍ତ ସମସ୍ତ ନିୟମାବଳୀକୁ ପ୍ରତ୍ୟାହାର କରିବା ଭଳି ୧୦ଟି ଦାବି ଉପସ୍ଥାପନ କରାଯାଇଥିଲା। ଏହି ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ଏକ କମିଟି ଗଠନ କରାଯାଇ ଉକ୍ତ ଦାବିଗୁଡିକ ପୂରଣ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ଦୀର୍ଘ ସାଢେ ୪ ବର୍ଷ ପରେ କୌଣସି ଗୋଟିଏ ଦାବି ପୂରଣ କରାଯାଇ ନାହିଁ। ତେଣୁ ଉକ୍ତ କମିଟି ବିରୋଧରେ ଏତଲା ଦେବ ମହାସଂଘ। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବୀର ବିକ୍ରମ ଯାଦବଙ୍କ ନାମରେ ଏତଲା ଦିଆଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.