ଆଜି ଆସିବ ସୁଭଦ୍ରା ଟଙ୍କା , ଏହି ସମୟରେ ଚେକ୍ କରନ୍ତୁ ଆକାଉଣ୍ଟ

0

ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟରେ ଆଜି ପ୍ରାୟ ୩୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାରିପଦାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ। ଏଥିପାଇଁ ବାରିପଦାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଶ୍ରୀମତୀ ପରିଡ଼ା କହିଛନ୍ତି।

୩୨ ଲକ୍ଷ ମହିଳାଙ୍କ ଏମ୍‌ପିସିଆଇ (ନ୍ୟାସନାଲ ପେମେଣ୍ଟ କୋ-ଅପରେସନ ଅଫ ଇଣ୍ଡିଆ) କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଥିବା ସେ କହିଛନ୍ତି। ଯେଉଁମାନଙ୍କ ବ୍ୟାଙ୍କ ଖାତା ଠିକ୍ ଥିବ ସେମାନଙ୍କୁ ଟଙ୍କା ମିଳିବ। ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ଲିଙ୍କ ହୋଇଥିଲେ ଟଙ୍କା ମିଳିବ। ୧କୋଟିରୁ ଊର୍ଦ୍ଧ୍ବ ମହିଳା ସୁଭଦ୍ରା ଯୋଜନାରେ ସହାୟତା ପାଇଁ ଆବେଦନ କରିସାରିଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ବିଜେପି ସରକାର ୧୦୦ଦିନ ପୂରଣ କରିବା ପୂର୍ବରୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ସୁଇଚ୍‌ ଟିପି ରାଜ୍ୟର ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ସରକାର ଏହି ଯୋଜନାରେ ୧କୋଟିରୁ ଊର୍ଦ୍ଧ୍ବ ଯୋଗ୍ୟ ମହିଳାଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୫ହଜାର ଲେଖାଏଁ ଟଙ୍କା ୫ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ବିଶ୍ବ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ସୁଭ୍ରଦା ଯୋଜନା ସହାୟତା ରାଶି ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।

 

Leave A Reply

Your email address will not be published.