ଭୁବନେଶ୍ବର (ଆମ ଟିଭି): ସକାଳୁ ସକାଳୁ ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ଓ ଭୁବନେଶ୍ୱର । ତେଣୁ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଟ୍ୱିନସିଟି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି ଏସଆରସି । ସେହିପରି ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ଉପୁଜିବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲାପାଳ ମାନଙ୍କୁ ହେଡକାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । ଏହାସହ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସହରାଞ୍ଚଳରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ମଧ୍ୟ ନିର୍ଦ୍ଦେଶାନାମା ଜାରି କରାଯାଇଛି । ବର୍ଷା ଯୋଗୁଁ ସହରରେ ପାଣି ଜମିବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ଟ୍ରାଫିକ ସମସ୍ୟା ଉପୁଜିପାରେ । ତେଣୁ ପାଣି ପମ୍ପ ଓ ଜେନେରେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।