ନୂଆଦିଲ୍ଲୀ: ବନ୍ଧା ହେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ସିଧାସଳଖ ୩ ବର୍ଷ ଜେଲ । ହରାଇଲେ ବିଧାୟକ ଓ ମନ୍ତ୍ରୀ ପଦ । ବେଆଇନ ସମ୍ପତ୍ତି ଠୁଳ ତଥା ଦୁର୍ନୀତି ଅଭିଯୋଗରେ ହାଇକୋର୍ଟ ଶୁଣାଇଛନ୍ତି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ । କେବଳ ସେତିକି ନୁହେଁ, ଏହି ମାମଲାରେ ମନ୍ତ୍ରୀ ଓ ତାଙ୍କ ସ୍ତ୍ରୀଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ । ଆଜ୍ଞା ହଁ ଆମେ କହୁଛୁ, ତାମିଲନାଡ଼ୁ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ. ପୋନମୁଡିଙ୍କ କଥା ।
ଉଙ୍ଗଳବାର ଦିନ ବେଆଇନ ସମ୍ପତ୍ତି ଠୁଳ ମାମଲାରେ କେ. ପୋନମୁଡି ଦୋଷୀ ସାବ୍ୟସ୍ତ ହୋଇଥିଲେ । କେବଳ ସେ ନୁହଁନ୍ତି, ତାଙ୍କ ପତ୍ନୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ମାଡ୍ରାସ ହାଇକୋର୍ଟ ଦୁହିଁଙ୍କ ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ରାୟ ଏହି ମାମଲାରେ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଏହାପୂର୍ବରୁ ନିମ୍ନ ଅଦାଲତ ମନ୍ତ୍ରୀ ଓ ତାଙ୍କ ସ୍ତ୍ରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ହେଲେ ବର୍ତ୍ତମାନ ଏହି ରାୟକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ସୁପ୍ରିମକୋର୍ଟ ଏହି ଦଣ୍ଡ କାଏମ ରଖନ୍ତି, ତେବେ ସେ ତାଙ୍କର ବିଧାୟକ ଏବଂ ମନ୍ତ୍ରୀ ପଦ ହରାଇବେ ।