ମ୍ୟାଲେସିଆରେ କାର୍ୟ୍ୟାଳୟ ସ୍ଥାପନ କରିବ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍

0

ନୂଆଦିଲ୍ଲୀ (ଆମ ଟିଭି): ମ୍ୟାଲେସିଆରେ କାର୍ୟ୍ୟାଳୟ ସ୍ଥାପନ କରିବ ହାଲ । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ) ମ୍ୟାଲେସିଆର କୁଆଲାଲାମ୍ପୁର ଠାରେ ଏହାର କାର୍ୟ୍ୟାଳୟ ସ୍ଥାପନ କରିବା ନେଇ ଏକ ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଛି। ହାଲର ଏହି କାର୍ୟ୍ୟାଳୟ ରୟାଲ ମ୍ୟାଲେସିଆନ ବାୟୁସେନାର ଆବଶ୍ୟକତା ପୂରଣ ପାଇଁ ସାହାଯ୍ୟ କରିବା ସହ ଭାରତ ପାଇଁ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବ। ମ୍ୟାଲେସିଆ ପ୍ରତିରକ୍ଷା ବାହିନୀକୁ ସହାୟତା କରିବା ପାଇଁ ଭାରତ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ ହେବ। ମ୍ୟାଲେସିଆରେ ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରର ବିକାଶରେ ଏହି କାର୍ୟ୍ୟାଳୟ ସାହାଯ୍ୟ କରିବ।

କୁଆଲାଲାମ୍ପୁରରେ ସ୍ଥାପିତ ହେବାକୁ ଥିବା ଏହି କାର୍ୟ୍ୟାଳୟ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ଉତ୍ପାଦିତ ଲଢ଼ୁଆ ବିମାନ, ଯନ୍ତ୍ରପାତି ଓ ଅନ୍ୟାନ୍ୟ ସେବା ମ୍ୟାଲେସିଆ ଓ ଦକ୍ଷିଣପୂର୍ବ ଏସିଆରେ ପହଞ୍ଚାଇବାରେ ସହାୟକ ହେବ। ମ୍ୟାଲେସିଆକୁ ୧୮ଟି ଫାଇଟର ଲିଡ୍ ଇନ୍ ଟ୍ରେନର ଏଲ୍.ସି.ଏ ଯୋଗାଇବାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ୨୦୨୧ ଅକ୍ଟୋବର ମାସରେ ମ୍ୟାଲେସିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଥିଲା। ଏହି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷର ଅବସରରେ ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଓ ମ୍ୟାଲେସିଆରେ ଭାରତର ରାଷ୍ଟ୍ରଦୂତ ବି.ଏନ୍. ରେଡ୍ଡୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.