ଆଜିଠୁ ଆରମ୍ଭ ଐତିହାସିକ ‘ବାଲିଯାତ୍ରା’: କୁହେ ଗୌରବମୟ ନୌବାଣିଜ୍ୟ ପରମ୍ପରାର ଇତିହାସ

0

କଟକ (ଆମ ଟିଭି): ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । କାହିଁ କେତେ କାଳରୁ ଏହା ଆମ ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ ପାଲଟିଛି । ଇତିହାସ କୁହେ, ୨୦୦୦ ହଜାର ବର୍ଷ ପୂର୍ବରୁ ଓଡିଆ ସାଧବ ପୁଅମାନେ ଜାଭା ସୁମାତ୍ରା ଭଳି ଦ୍ବୀପଗୁଡିକୁ ବାଣିଜ୍ୟ କାରବାର କରିବାକୁ ଆଜିର ଦିନରେ ହିଁ ଯାତ୍ରା ଆରମ୍ଭ କରନ୍ତି । ସାଧବ ବୋହୂମାନେ ବନ୍ଦାପନା କରି ସାଧବ ପୁଅମାନଙ୍କୁ ମେଲାଣି ଦିଅନ୍ତି । ଏଥିପାଇଁ ଆଜି ବାଣିଜ୍ୟ ବେପାରକୁ ମନେପକାଇ ବିଭିନ୍ନ ନଦୀ, ପୋଖରୀରେ ଡଙ୍କା ଭସାଉଛନ୍ତି ଓଡିଆ ମହିଳାମାନେ ।

ଯେଉଁ ଉତ୍ସବଙ୍କୁ ମନେରଖିବା ପାଇଁ ବିଭିନ୍ନ ଉପକୂଳ ଅଞ୍ଚଳ ମାନଙ୍କରେ ଧୁମାଧାମରେ ଆୟୋଜିତ ହୁଏ ବାଲିଯାତ୍ରା । ଦେଶ ତଥା ବିଦେଶର ବିଭିନ୍ନ ବାଣିଜ୍ୟ ବେପାରକୁ ଗୋଟିଏ ମେଳାରେ ପ୍ରଦର୍ଶିତ କରିଥାଏ ବାଲିଯାତ୍ରା । ବାଲିଯାତ୍ରା ଆମ ଉତ୍କଳିୟ ନୌବାଣିଜ୍ୟର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ଏଥିପାଇଁ ଆଜି ସନ୍ଧ୍ୟାରେ କଟକ ମହାନଦୀ ପଠାରେ ବୋଇତ ବନ୍ଦାଣ କରିବା ସହ ଐତିହାସିକ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ  ହାଇ କମିସନର ଯୋଗଦେବେ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ ଭଜନ ସହ ଇଣ୍ଡୋନେସିଆ ବାଲିର ସଂସ୍କୃତିକୁ ନେଇ ଅନ୍ତର୍ଜାତୀୟ କଳାକାରଙ୍କ ଦ୍ବାରା ନୃତ୍ୟ ପରିବଷେଣରେ ଆରମ୍ଭ ହେବ ବାଲିଯାତ୍ରାର ପ୍ରଥମ ସାଂସ୍କୃତିକ ସନ୍ଧ୍ୟା। ଯାହା ଆସନ୍ତା ୨୨ ତାରିଖ ଯାଏଁ ଚାଲିବ ।

ତେବେ ଚଳିତ ବର୍ଷ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ । ଏଥର ବାସ୍ତବରେ ଇଣ୍ଟରନେସନାଲ ସ୍ପର୍ଶ ପାଇଛି କଳିଙ୍ଗର ବାଲିଯାତ୍ରା । ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରଚାର ପ୍ରସାର ପାଇଁ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଏବଂ ବୃଣେଇ ଭଳି ବିଭିନ୍ନ ରାଷ୍ଟ୍ରରୁ ଅତିଥିମାନେ ଯୋଗଦେବେ। ଏହା ସହ ୮ଟି ଦେଶର ପ୍ରତିନିଧି ଏବଂ କଳାକାରମାନେ ପ୍ରତିଦିନ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ଚଳିତ ବାଲିଯାତ୍ରାରେ  ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପାଭିଲିୟନ୍‌ କରାଯାଇଛି। ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବା ପାଇଁ ପୁରୁଣା ଓଡ଼ିଆ ସିନେମାକୁ ନେଇ କଟକ-ଇନ୍‌-କଟକରେ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ସେହିପରି ପ୍ରଥମ ଥର ପାଇଁ ଫିଲ୍ମ ଫେଷ୍ଟିଭାଲ, ପୁରୁଣା ଚଳଚ୍ଚିତ୍ର ପ୍ରଦର୍ଶନ, ଡ୍ରୋନ ସୋ, ପିଠା ମହୋତ୍ସବ, ଓରମାସର ସ୍ୱତନ୍ତ୍ର ଷ୍ଟଲ ଦେଖିବାକୁ ମିଳିବ। ଏହା ସହିତ କଟକ ମାଟିରେ ଏହି ବାଲିଯାତ୍ରା ପଡ଼ିଆରେ ପ୍ରଥମ ଥର ପାଇଁ ଆହେ ନୀଳଶୈଳ ଅନୁଷ୍ଠିତ ହେବାକୁ ଯାଉଛି।

Leave A Reply

Your email address will not be published.