ଦିଲ୍ଲୀ ଆପକୁ ଝଟକା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ଆଳରେ ନିଜ ଦଳର ପ୍ରଚାର କରି ଧରାପଡ଼ିଛି ଦିଲ୍ଲୀର କ୍ଷମତାସୀନ ଆମ୍ ଆଦମୀ ପାର୍ଟି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍କୁ ଖୋଦ୍ ଦିଲ୍ଲୀ ସରକାର ୧୬୩.୬୨ କୋଟି ଟଙ୍କା ଦେବାକୁ ନୋଟିସ୍ କରିଛନ୍ତି।
ଏହି ଟଙ୍କା ଆଦାୟ ନୋଟିସ୍ ଡିରେକ୍ଟୋରେଟ ଅଫ ଇନଫରମେସନ ଆଣ୍ଡ ପବ୍ଲିସିଟି(ଡିଆଇପି) ପକ୍ଷରୁ ପଠାଯାଇଛି। ଏଥିସହ ୧୦ ଦିନ ଭିତରେ କ୍ଷମତାସୀନ ଆପ୍କୁ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ମାସରେ ଉପ ରାଜ୍ୟପାଳ ଭିକେ ସକ୍ସେନା ସରକାରୀ ବିଜ୍ଞାପନ ଆଳରେ ଆପ୍ ନିଜର ରାଜନୀତିକ ପ୍ରଚାର କରୁଥିବା ଅଭିଯୋଗ ଲଗାଇଥିଲେ। ଏଥିସହ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ୨୦୧୫-୧୬ରେ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିବା ସରକାରୀ ଟଙ୍କା ଆପ୍ ଠାରୁ ଆଦେୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେ ଆପ୍ ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ କହିଥିଲେ। ଏହି ନିର୍ଦ୍ଦେଶର ଗୋଟିଏ ମାସ ପରେ ଡିଆଇପି ପକ୍ଷରୁ ନୋଟିସ କରାଯାଇଛି। ବିଜ୍ଞାପନ ବାବଦରେ ହୋଇଥିବା ଖର୍ଚ୍ଚ ଓ ଏହାର ସୁଧକୁ ମିଶାଇ ଆପ୍କୁ ୧୦ ଦିନ ଭିତରେ ୧୬୩.୬୨ କୋଟି ଟଙ୍କା ଦେବାକୁ କୁହାଯାଇଛି।
ନୋଟିସରେ କୁହାଯାଇଛି ଯେ ରାଜ୍ୟ ରାଜକୋଷକୁ ତୁରନ୍ତ ଆପ୍ ୯୯,୩୧,୧୦,୦୫୩ ଟଙ୍କା ଓ ବାକି ବିଜ୍ଞାପନ ପାଇଁ ୭.୧୧ କୋଟି ଟଙ୍କା ଦେବାକୁ ପଡ଼ିବ। ଏହି ୭.୧୧ କୋଟି ଟଙ୍କା ସରକାରଙ୍କ ପକ୍ଷରୁ ରିଲିଜ୍ କରାଯାଇନି। ଏହାକୁ ସିଧାସଳଖ ଉପଯୁକ୍ତ ଏଜେନ୍ସିକୁ ୧୦ ଦିନ ମଧ୍ୟରେ ଦିଆଯିବ।
ଯଦି ଆପ୍ ଧାର୍ଯ୍ୟ ସମୟରେ ଟଙ୍କା ପୈଠ ନ କରିବ, ତା’ହେଲେ ଦଳ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ। ଏଥିସହ ନିର୍ଦ୍ଦିଷ୍ଟ ସମୟରେ ଦରକାର ପଡ଼ିଲେ ଦଳର ସମସ୍ତ ସମ୍ପତ୍ତିକୁ ଆଟାଚ କରାଯିବ। ଏ ସମ୍ପର୍କରେ ପୂର୍ବରୁ ଉପ ରାଜ୍ୟପାଳ ନିର୍ଦ୍ଦେଷ ଦେଇ ସାରିଥିବା ନୋଟିସରେ କୁହାଯାଇଛି।