ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ
ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ। ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆସିଛି ଏମିତି ଚିତ୍ର। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ପତ୍ନୀ ଜାଗୃତି ପଣ୍ଡା। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଜାଗୃତି କାହିଁକି ସ୍ୱାଧୀନ ପ୍ରାର୍ଥୀ ଭାବେ ସ୍ୱାମୀଙ୍କ ବିରୋଧରେ ଲଢ଼ିବାକୁ ମନସ୍ଥ କଲେ, ସେ ନେଇ ମୁହଁ ଖୋଲିନାହାନ୍ତି। ସେହିଭଳି ଏନେଇ ରୁଦ୍ରଙ୍କ ପ୍ରତିକ୍ରିୟା ମଧ୍ୟ ମିଳି ନାହିଁ।
ଜାଗୃତି ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଏହା ହଠାତ୍ ସାମ୍ନାକୁ ଆସିପାରି ନଥିଲା। ଏ କଥା ଜଣାପଡ଼ିବା ପରେ ଏହାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। କୁହାଯାଉଛି, ସ୍ୱାମୀ ରୁଦ୍ର ନାମାଙ୍କନ ପତ୍ରରେ କୌଣସି ତ୍ରୁଟି ଥିଲେ କାଳେ ନାକଚ ହୋଇଯିବ, ସେଥିପାଇଁ ଜାଗୃତି ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଉ ଯଦି ରୁଦ୍ରଙ୍କ ନାମାଙ୍କନ ପତ୍ର ନାକଚ ନହୁଏ, ତା’ହେଲେ ଜାଗୃତି ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବେ ବୋଲି ଚର୍ଚ୍ଚା ହେଉଛି।