ନୂଆଦିଲ୍ଲୀ (ଆମ ଟିଭି): ରାଜନୀତି ଛାଡ଼ିଦେବେ ନୀତିନ ଗଡ଼କରୀ! ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏବେ ପୁଣି ଏକ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି । ସେ କହିଛନ୍ତି, ମୁଁ ଭାବୁଛି ରାଜନୀତି ଛାଡ଼ିଦେବି । ନିକଟରେ ଗଡ଼କରୀ ଏକ କାର୍ୟ୍ୟକ୍ରମ ଅବସରରେ ଏକ ବୟାନ ଦେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଗଡ଼କରୀ ହଠାତ୍ କାହିଁକି ଏପରି କହିଲେ, ତାହା ପଛରେ କିଛି ରହସ୍ୟ ରହିଛି କି ଏନେଇ ରାଜନୈତିକ ମହଲରେ ଆଲୋଚନା ହେଉଥିବା ଜଣାପଡ଼ିଛି ।
ଗଡ଼କରୀ କହିଛନ୍ତି, ମୋତେ ଲାଗୁଛି ମୁଁ କେବେ ରାଜନୀତି ଛାଡ଼ିବି ଓ ଆଉ କେବେ ଛାଡ଼ିବି ନାହିଁ । କାରଣ ଜୀବନରେ ରାଜନୀତିକୁ ଛାଡ଼ିଦେଲେ ଆହୁରି ଅନେକ ଜିନିଷ ରହିଛି । ବାସ୍ତବରେ ରାଜନୀତି କ’ଣ, ତାହା ଆମକୁ ବୁଝିବା ଦରକାର । ଯଦି ଆମେ ଠିକ୍ ଭାବେ ସମୀକ୍ଷା କରିବା, ତେବେ ଜାଣିପାରିବା ରାଜନୀତି ସମାଜ ପାଇଁ ଉଦ୍ଦିଷ୍ଟ ।
ରାଜନୀତିର ମୂଳଲକ୍ଷ୍ୟ ସମାଜର ବିକାଶ ପାଇଁ ଧାର୍ୟ୍ୟ ହେବା ଦକରାର । ମାତ୍ର ବର୍ତ୍ତମାନ ସମୟରେ ରାଜନୀତି ଶତ ପ୍ରତିଶତ କ୍ଷମତା ଲୋଭ ନିଶାରେ ପରିଣତ ହୋଇଯାଇଛି । ଅଧିକାଂଶ ସମୟରେ ଗଡ଼କରୀ ନିଜର ସ୍ୱାଧୀନ ତଥା ଅନନ୍ୟ ବୟାନ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ମଧ୍ୟ ଗଡ଼କରୀ କହିଥିଲେ, ଯେଉଁମାନେ ମୁଖ୍ୟମନ୍ତ୍ରୀ ପଦରେ ବସୁଛନ୍ତି, ସେମାନେ ସର୍ବଦା ଚିନ୍ତିତ ରହିଥାନ୍ତି ।