ନାଇଜେରିଆର ଏକ ଗାଁରେ ଫୁଟିଛି ଆଖିବୁଜା ଗୁଳି, ୪୦ ମୃତ

0

ନାଇଜେରିଆର ଏକ ଗାଁରେ ଫୁଟିଛି ଆଖିବୁଜା ଗୁଳି। ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଏକ ଗାଁର ୪୦ ଜଣ ଆଖି ବୁଜିଛନ୍ତି। ଦୁର୍ବୃତ୍ତମାନେ ବହୁ ଗ୍ରାମବାସୀଙ୍କୁ ଅପହରଣ କରିଥିବା ବେଳେ ବହୁ ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ଏହି ଘଟଣାରେ ନାଇଜେରିଆ ପୁଲିସ ଗୁଳିରେ ୭ ବନ୍ଧୁକଧାରୀ ନିହତ ହୋଇଛନ୍ତି।

ନାଇଜେରିଆର ଉତ୍ତର- ମଧ୍ୟସ୍ଥିତ ପଠାରୀ ରାଜ୍ୟରେ ଏହି ଅଘଟଣ ଘଟିଛି। ଏଠାରେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି।

ପଠାରୀ ରାଜ୍ୟର ପୁଲିସ୍‌ ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ, ପଠାରୀ ବଙ୍ଗଲାଲା ଜଙ୍ଗଲରେ ସୁରକ୍ଷା ଏଜେଣ୍ଟଙ୍କ ଆକ୍ରମଣ ଯୋଗୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ବାଇକ୍‌ରେ ପଳାୟନ କରିଥିଲେ। ସେମାନେ ରାତି ଅଧରେ ଜୁରାକ ଓ ଡାକାଇ ଗାଁରେ ପଶି ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୪୦ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ଜଣାଯାଇଛି।

ସୁରକ୍ଷା କର୍ମୀ ସେଠାରେ ପହଞ୍ଚି ଦୁର୍ବୃତ୍ତଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ। ସୁରକ୍ଷା କମର୍ମୀଙ୍କ ଆକ୍ରମଣରେ ୭ ଦୁର୍ବୃତ୍ତଙ୍କ ମୃତ୍ୟୁ ଘଟିଛି।

ଦୁର୍ବୃତ୍ତମାନେ ଗୁଳି ଫୁଟାଇବା ପରେ ବନ୍ଧୁକ ମୁନରେ ବହୁ ଲୋକଙ୍କୁ ଅପହରଣ କରିବା ସହ ବହୁତ ଘରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ନାଇଜେରିଆରେ ଚାଞ୍ଚଲ୍ୟ ଖେଳି ଯାଇଛି।

ନାଇଜେରିଆର ଅଧିକାଂଶ ଅଞ୍ଚଳରେ ଆତଙ୍କବାଦୀମାନେ ସକ୍ରିୟ ଥିବା ବେଳେ ସେମାନେ ଗାଁରେ ପଶି ବନ୍ଧୁକ ମୁନରେ ଲୁଟ୍‌, ଅପହରଣ କରିବାକୁ ପଛାଉ ନାହାନ୍ତି। ଅର୍ଥ ଯୋଗାଡ଼ ନିମନ୍ତେ ସେମାନେ ବିଭିନ୍ନ ସମୟରେ ହିଂସାତ୍ମକ କାଣ୍ଡ ଘଟାଉଥିବା ବେଳେ ସେଠାକାର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।

Leave A Reply

Your email address will not be published.