କୋଲକତା ଚୋରବାଗାନ ଦଳାଚକଟାରେ ଘଟଣା, ଆହତଙ୍କୁ ଭେଟିଲେ ଅମିତ ଶାହା
କୋଲକାତା ମେଡିକାଲ କଲେଜ ଏବଂ ହସ୍ପିଟାଲରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଚୋରବାଗାନ ଦୁର୍ଗାପୂଜା ପେଣ୍ଡାଲରେ ଘଟିଥିବା ଦଳାଚକଟାରେ ଆହତ ହୋଇଥିବା ଲୋକମାନଙ୍କୁ ଭେଟିଛନ୍ତି । ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି ।
ପ୍ରବଳ ବର୍ଷା ଯୋଗୁଁ ବାହାରେ ଅପେକ୍ଷା କରିଥିବା ଦର୍ଶକମାନେ ହଠାତ୍ ପେଣ୍ଡାଲ ଭିତରକୁ ପଶିବାକୁ ଚେଷ୍ଟା କରିବାରୁ ଏହି ଅଘଟଣ ଘଟିଥିଲା । ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ନେତୃତ୍ୱରେ ଏକ SIT ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ପଶ୍ଚିମବଙ୍ଗର କୋଲକାତାରେ ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ହେବାରୁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି । ଅକ୍ଟୋବର ୧୭ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟରେ ବର୍ଷା ଆରମ୍ଭ ହେବା ପରେ ମଣ୍ଡପ ଭିତରକୁ ପ୍ରବେଶ କରିବା ପାଇଁ ଲୋକଙ୍କ ଭିଡ଼ ବଢ଼ିଥିଲା । ଫଳରେ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଅତ୍ୟଧିକ ଗହଳି ହେବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମାମଲାରେ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣାରେ ଦୋଷୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ।
ଏହି ଦୁଃଖଦ ଘଟଣା ପରେ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ସରକାର ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି । ଆହତଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଏବଂ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ମଧ୍ୟ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବା ନେଇ ଘୋଷଣା କରାଯାଇଛି ।