ନୂଆଦିଲ୍ଲୀ(ଆମ ଟିଭି): ଗୁଜୁରାଟ ଦଙ୍ଗା ଉପରେ ହୋଇଥିବା ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ଭିତରେ ଏବେ ଦିଲ୍ଲୀ ସ୍ଥିତ ବିବିସି କାର୍ୟ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ କରିଛି । ଆୟକର ବିିଭାଗ ଦିଲ୍ଲୀ ବିବିସି କାର୍ୟ୍ୟାଳୟର ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରିବା ସହ ସେମାନଙ୍କୁ କାର୍ୟ୍ୟାଳୟ ଛାଡି ଘରକୁ ଫେରିଯିବାକୁ କୁହାଯାଇଛି । ସେପଟେ ଲଣ୍ଡନରେ ଥିବା ବିବିସି କାର୍ୟ୍ୟାଳୟକୁ ମଧ୍ୟ ଚଢାଉ ବାବଦରେ ସୂଚନା ଦିଆଯାଇଛି । ହେଲେ ଏପର୍ୟ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।
ଟିଏମସି ସାଂସଦ ମହୁଆ ମୋଇତ୍ରୀ ବିବିସି କାର୍ୟ୍ୟାଳୟ ଉପରେ ଆୟକର ଚଢାଉ ସଂପର୍କରେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । କହିରଖୁ କି କିଛିଦିନ ତଳେ ବିବିସି ତରଫରୁ ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରୀ ଆସିଥିଲା । ଏହି ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜରାଟ ଦଙ୍ଗା ଉପରେ ପର୍ୟ୍ୟବେଶିତ କରାଯାଇଥିଲା । କେନ୍ଦ୍ର ସରକାର ଏହାକୁ ପ୍ରପୋଗେଣ୍ଡା ବୋଲି କହି ଏହାର ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା । ହେଲେ କୋର୍ଟ ଏହି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ ।