ବିଜେପି ଆଡ଼କୁ ଢଳୁଛନ୍ତିକି ଗୁଲାମ ? କହିଲେ ପ୍ରଧାନମନ୍ତ୍ରୀଙ୍କ ଭିତରେ ମାନବିକତା ଅଛି

0

ନୂଆଦିଲ୍ଲୀ(ଆମ ଟିଭି): ବିଜେପି ଆଡ଼କୁ ଢଳୁଛନ୍ତିକି କଂଗ୍ରେସ ହାତ ଛାଡ଼ିଥିବା ଗୁଲାମ ନବୀ ଅଜାଦ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାନବିକତା ଥିବ ବୋଲି ମୁଁ ଜାଣିନଥିଲି, ହେଲେ ପରେ ମୋତେ ତାଙ୍କ ଭିତରେ ମାନବିକତା ଥିବା ଜଣାପଡ଼ିଥିଲା। ଗତବର୍ଷ ରାଜ୍ୟସଭାରୁ ଆଜାଦଙ୍କ କାର୍ଯ୍ୟକାଳ ସମାପ୍ତ ହେବା ସମୟରେ ବିଦାୟୀ ଭାଷଣ ଦେଇ କାନ୍ଦି ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଘଟଣାକୁ ମନେ ପକାଇ ଆଜି ଆଜାଦ ପୂରା ଘଟଣାବଳୀ ବିଷୟରେ କହିଛନ୍ତି।

ସେ କହିଛନ୍ତି ଯେ, ଗୁଜୁରାଟର କିଛି ପର୍ଯ୍ୟଟକ କଶ୍ମୀରକୁ ୨୦୦୬ରେ ବୁଲିବାକୁ ଆସିଥିବା ବେଳେ ସେମାନଙ୍କ ବସ୍ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ। ଏଥିରେ ଗୁଜୁରାଟରୁ ଆସିଥିବା ପର୍ଯ୍ୟଟକ ମୃତ୍ୟୁ ଘଟିଥିଲା। ସେ ସମୟରେ ମୁଁ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ବେ‌ଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ମୋଦୀ ସାହେବ। ଏହି ଘଟଣା ବିଷୟରେ ଖବର ପାଇ ସେ ମୋ କାର୍ଯ୍ୟାଳୟକୁ କଲ୍ କରିଥିଲେ। କିନ୍ତୁ ଆକ୍ରମଣ ଏତେ ନିର୍ଦ୍ଦୟ ଥିଲା ଯେ ମୁଁ ଭାଙ୍ଗପଡ଼ିଥିଲି। କାହା ସହ କଥା ହେବା ଅବସ୍ଥାରେ ନଥିଲି।

ମୋର ସହଯୋଗୀ ଫୋନ ପାଖକୁ ଆଣିବାରୁ ମୋଦୀ ସାହେବ ମୁଁ କାନ୍ଦୁଥିବା ଜାଣିପାରିଥିଲେ। ସେତେବେଳେ ମୁଁ ମୋଦୀଙ୍କୁ ବୁଝିପାରିନଥିଲି। ମୁଁ ଭାବୁଥିଲି ମୋଦୀ ସାହେବଙ୍କ ଭିତରେ ନିଶ୍ଚିତ ଭାବରେ ମାନବିକତା ନଥିବ। ଯେହେତୁ ତାଙ୍କର ପତ୍ନୀ କିମ୍ବା କୌଣସି ପିଲା ନାହାଁନ୍ତି, ତେଣୁ ମୁଁ ଭାବୁଥିଲି ସେ ମୋ କାନ୍ଦିବାକୁ ଏତେ ଗୁରୁତ୍ବ ଦେଇନଥିବେ। କିନ୍ତୁ ମୋର କାର୍ଯ୍ୟକାଳ ସମାପ୍ତ ହେବା ସମୟରେ ସେ ଯେଉଁଭଳି ଭାବେ ସେ ସବୁ ଦିନକୁ ମନେ ପକାଇ କାନ୍ଦିଥିଲେ, ସେହିଦିନ ତାଙ୍କ ଭିତରେ ମାନବିକତା ଥିବା ମୁଁ ଜାଣିପାରିଥିଲି।

Leave A Reply

Your email address will not be published.