ନୂଆଦିଲ୍ଲୀ(ଆମ ଟିଭି): ପୋଲିସକୁ ଚକମା ଦେଇ ବାରମ୍ବାର ଖସିଯାଉଛନ୍ତି ଇମନ୍ନ୍ ଖାନ୍ । ତୋଷଖାନ୍ନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ସଙ୍କଟ ମାଡି ବସିଛି। ଇମ୍ରାନ ଆଜି ଇସଲାମାବାଦର କୋର୍ଟରେ ହାଜର ହେବାକୁ ଯାଉଥିଲେ। ଏହି ସମୟରେ ତାଙ୍କ କାଫିଲକୁ କୋର୍ଟ ଯିବା ପୂର୍ବରୁ ଇସଲାମାବାଦର ଟୋଲ ପ୍ଲାଜା ନିକଟରେ ଅଟକାଇ ଦିଆଯାଇଥିଲା। ସେହିପରି ଇମ୍ରାନ ଖାନ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ତାଙ୍କର ଲାହୋରସ୍ଥିତ ଘରେ ପୁଲିସ ପହଞ୍ଚି ଯାଇଥିଲା। ଏହି ସମୟରେ ପୁଲିସ ଓ ପିଟିଆଇ କର୍ମୀ ମୁହାଁମୁହିଁ ହୋଇଥିଲେ।
ଇସଲାମାବାଦ ଯାଉଥିବା ବେଳେ ଇମ୍ରାନ ଖାନ ଏକ ଭିଡିଓ ବି ଜାରି କରିଥିଲେ। ଏହି ଭିଡିଓରେ ଇମ୍ରାନ କହୁଛନ୍ତି, ‘ମୁଁ ଇସଲାମାବାଦ ପହଞ୍ଚିବା ପରେ ସୋମନେ ମୋତେ ଗିରଫ କରିବେ। ମୋର ଗିରଫଦାରୀ ‘ଲଣ୍ଡନ ପ୍ଲାନ’ର ଅଂଶ। ନୱାଜ ସରିଫଙ୍କ କହିବାନୁସାରେ ମୋତେ ଗିରଫ କରାଯାଉଛି। ପଞ୍ଜାବ ପୁଲିସ ଜମାନ ପାର୍କସ୍ଥିତ ମୋର ଘରେ ଚଢ଼ାଉ କରିଛି। କବାଟ ଭାଙ୍ଗି ଘରେ ପଶିଛି। ଏହାସହ ବୁଲଡୋଜର ସହାୟତାରେ ଘର ମଧ୍ୟ ଭାଙ୍ଗିଛି ।