ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୧୭ରୁ ପ୍ରବଳ ବର୍ଷିବ

0

ଭୁବନେଶ୍ବର (ଆମ ଟିଭି): ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୭.୬ କି.ମି. ଯାଏ ବ୍ୟାପିବା ସହ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ ସୋମବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଦିନତମାମ ବର୍ଷା ଲାଗି ରହିଥିବା ବେଳେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୋମବାର ସକାଳ ସାଢ଼େ ୮ଟାରୁ ଅପରାହ୍ନ ସାଢ଼େ ୫ଟା ଭିତରେ କୋରାପୁଟରେ ସର୍ବାଧିକ ୪୫.୨ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୧୮, ନୟାଗଡ଼ରେ ୧୭, ତାଳଚେର ୧୫, ଭବାନୀପାଟଣା ୧୩.୨ ଓ ନବରଙ୍ଗପୁରରେ ୧୩ ମି.ମି. ବର୍ଷା ହୋଇଛି।

ସେହିପରି ବାଲେଶ୍ୱର, ଚାନ୍ଦବାଲି, କଟକ, ଭୁବନେଶ୍ୱର, ଗୋପାଳପୁର, ପୁରୀ, ଅନୁଗୋଳ, ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି, ସୋନପୁର, ଦାରିଙ୍ଗବାଡ଼ି, ପାରଳାଖେମୁଣ୍ଡି, ରାୟଗଡ଼ା, ଭଦ୍ରକ, ଢେଙ୍କାନାଳ, ଦେବଗଡ଼, ଖୋର୍ଦ୍ଧା, ଜଗତ୍‌ସିଂହପୁରରେ ମଧ୍ୟ ବର୍ଷା ହୋଇଛି। ତେବେ ୧୭ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୭ରେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ମାଲକାନଗିରି, କୋରାପୁଟରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସୂଚନାଯୋଗ୍ୟ, ଲଘୁଚାପ ଓ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବା ଯୋଗୁ ବର୍ଷା ଲାଗି ରହିଛି। ତେବେ ବର୍ଷା ହେଉଥିଲେ ମଧ୍ୟ ଏବେ ବି ରାଜ୍ୟରେ ସ୍ବାଭାବିକ ପରିମାଣର ବର୍ଷା ହୋଇନାହିଁ।

Leave A Reply

Your email address will not be published.