ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ବଡ଼ ପଦକ୍ଷେପ, ନ୍ୟୁୟର୍କରେ ଘୋଡ଼ାଗାଡ଼ି ଉପରେ ଲାଗିବ ପ୍ରତିବନ୍ଧକ!

0

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କ ସହରରେ ଘୋଡ଼ାଗାଡ଼ିରେ ବୁଲିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆରମ୍ଭ ହୋଇଛି ବଡ଼ ପଦକ୍ଷେପ । ୨୦୨୮ ମସିହା ଜୁନ୍ ମାସରୁ ଘୋଡ଼ାଗାଡ଼ି ଚଳାଚଳ ବନ୍ଦ କରିବାକୁ ଥିବା ଏକ ବିଲ୍‌କୁ ସହରର ସିଟି କାଉନସିଲ୍ ଅନୁମୋଦନ କରିଛି । ଗୁରୁବାର ହୋଇଥିବା ଭୋଟିଂରେ ବିଲ୍ ସପକ୍ଷରେ ୪୦ଟି ଭୋଟ୍ ପଡ଼ିଥିବା ବେଳେ ୭ ଜଣ ଏହାକୁ ବିରୋଧ କରିଥିଲେ । ଅନ୍ୟ ୨ ଜଣ ସଦସ୍ୟ ଭୋଟ୍ ଦାନରୁ ବିରତ ରହିଥିଲେ ।

ଭାରତୀୟ ପର୍ଯ୍ୟଟକ ୧୮ ବର୍ଷୀୟ ରୋମାଞ୍ଚ ମହାଜନଙ୍କ ମୃତ୍ୟୁ ପରେ ଏହି ପ୍ରତିବନ୍ଧକ ଦାବି ଜୋର୍ ଧରିଥିଲା । ଗତ ଜୁନ୍ ୧୭ ତାରିଖରେ ଏକ ଦୁର୍ଘଟଣାରେ ରୋମାଞ୍ଚଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପରିବାରର ଫଟୋ ଉଠାଇବା ପାଇଁ ଘୋଡ଼ାଗାଡ଼ି ଚାଳକ କିଛି ସମୟ ପାଇଁ ସେଠାରୁ ଚାଲିଯାଇଥିବା ବେଳେ ଘୋଡ଼ାଟି ନିୟନ୍ତ୍ରଣ ହରାଇ ଦୌଡ଼ିବାକୁ ଲାଗିଥିଲା । ଏହି ସମୟରେ ରୋମାଞ୍ଚ ଗାଡ଼ିରୁ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା । ନ୍ୟୁୟର୍କର ମେୟର ଜୋହରାନ୍ ମମଦାନି ମଧ୍ୟ ଏହି ବିଲ୍‌କୁ ସମର୍ଥନ କରିଛନ୍ତି । ପ୍ରସ୍ତାବ ଅନୁଯାୟୀ, ନ୍ୟୁୟର୍କର ରାସ୍ତା ଏବଂ ପ୍ରସିଦ୍ଧ ସେଣ୍ଟ୍ରାଲ୍ ପାର୍କରେ ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଘୋଡ଼ାଗାଡ଼ିରେ ବୁଲିବା ବ୍ୟବସ୍ଥାକୁ ବନ୍ଦ କରାଯିବ।

ଏହି ଘୋଡ଼ାଗାଡ଼ି ଯାତ୍ରା ସହରର ପର୍ଯ୍ୟଟନ ଓ ପରମ୍ପରାର ଏକ ପ୍ରମୁଖ ଆକର୍ଷଣ ଭାବେ ପରିଚିତ । ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରତିବନ୍ଧକକୁ ବିରୋଧ କରିଛନ୍ତି । ତାଙ୍କ ମତରେ, ଘୋଡ଼ାଗାଡ଼ି ନ୍ୟୁୟର୍କର ଇତିହାସ ଓ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ସେଣ୍ଟ୍ରାଲ୍ ପାର୍କରେ କାର୍ ଚଳାଚଳକୁ ଅନୁମତି ଦିଆଯାଉଥିବା ବେଳେ ଘୋଡ଼ାଗାଡ଼ି ଉପରେ କାହିଁକି ପ୍ରତିବନ୍ଧକ ଲଗାଯିବ? ଏହି ବିଲ୍‌ରେ ଘୋଡ଼ାଗାଡ଼ି ଶିଳ୍ପ ସହ ଜଡ଼ିତ କର୍ମଚାରୀଙ୍କ ଭବିଷ୍ୟତ ଜୀବିକା ପାଇଁ ବିକଳ୍ପ ଯୋଜନା ପ୍ରସ୍ତୁତ କରିବାର ବ୍ୟବସ୍ଥା ରହିଛି । ଏଥିସହ ଘୋଡ଼ାଗାଡ଼ି ମାଲିକ ଓ ଚାଳକଙ୍କୁ କ୍ଷତିପୂରଣ ଦେବା ନେଇ ମଧ୍ୟ ବିଚାର କରାଯିବ। ଘୋଡ଼ାମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ବ୍ୟବସ୍ଥା ରଖାଯିବା ସହ ସେମାନଙ୍କୁ ମାରିବା ଉପରେ ରୋକ୍ ଲଗାଇବାର ପ୍ରସ୍ତାବ ରହିଛି ।

ଅନ୍ୟପଟେ, ଏହି ବିଲ୍‌କୁ ନେଇ ଆଇନଗତ ବିବାଦ ଦେଖାଦେଇପାରେ । ଘୋଡ଼ାଗାଡ଼ି ମାଲିକ ଓ ଚାଳକଙ୍କ ପ୍ରତିନିଧିତ୍ୱ କରୁଥିବା ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ୍ କହିଛି ଯେ, ଏହି ବିଲ୍ ଲାଗୁ ହେଲେ ସଂଘ ଅଦାଲତର ଦ୍ୱାରସ୍ଥ ହେବ । ବିଲ୍ ଉପରେ ଅସ୍ଥାୟୀ ରୋକ୍ ଲଗାଇବା ପାଇଁ ଆବେଦନ କରାଯିବ ବୋଲି ସଂଘ ସୂଚନା ଦେଇଛି । ଏହି ଆଇନ ଦ୍ୱାରା ଘୋଡ଼ାଗାଡ଼ି ପରିଚାଳକମାନେ ସେମାନଙ୍କ ସମ୍ପତ୍ତିରୁ ଆର୍ଥିକ ଲାଭ ଉଠାଇବାର ଅଧିକାରରୁ ବଞ୍ଚିତ ହେବେ ବୋଲି ୟୁନିୟନ୍ ଅଭିଯୋଗ କରିଛି । ତେବେ ସିଟି କାଉନସିଲ୍‌ର ଅନୁମୋଦନ ପରେ ନ୍ୟୁୟର୍କରେ ଘୋଡ଼ାଗାଡ଼ି ଚଳାଚଳ ବନ୍ଦ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। କିନ୍ତୁ ଆଇନଗତ ଚ୍ୟାଲେଞ୍ଜ୍ ଯୋଗୁଁ ଏହାର କାର୍ଯ୍ୟକାରିତା ଉପରେ ପ୍ରଭାବ ପଡ଼ିପାରେ ।

Leave A Reply

Your email address will not be published.