କୁପୱାରାରେ ସୁରକ୍ଷା ବାହିନୀର ବଡ଼ ସଫଳତା, ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର କେରାନ ସେକ୍ଟରର ଜୁମାଗୁଣ୍ଡ ଅଞ୍ଚଳରେ ହୋଇଥିଲା । ଏହି ଘଟଣା ପରେ, ସୁରକ୍ଷା ବାହିନୀ ସେହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।
ସୂଚନାନୁଯାୟୀ, କେରାନ ସେକ୍ଟରର ଜୁମାଗୁଣ୍ଡ ଅଞ୍ଚଳରେ କିଛି ସନ୍ଦେହଜନକ ଗତିବିଧି ଦେଖିବା ପରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ । ଭୋର ପ୍ରାୟ ସାଢ଼େ ୩ଟା ସମୟରେ ହୋଇଥିବା ଏହି ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ଅନ୍ୟପଟେ ଶନିବାର ଭୋର ପ୍ରାୟ ୩ ଟା ୩୦ ମିନିଟରେ ସୈନିକମାନେ ଉତ୍ତର କାଶ୍ମୀରର କେରାନ ସେକ୍ଟରରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ । ସୈନିକମାନେ ସନ୍ଦିଗ୍ଧ ଲୋକଙ୍କୁ ଅଟକିବାକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ଏହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଫଳରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଅଭିଯାନରେ ଜଣେ ସନ୍ଦିଗ୍ଧଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ଅଭିଯାନ ସମୟରେ ସୁରକ୍ଷା ବାହିନୀ ଏକ AK ଆସଲ୍ଟ ରାଇଫଲ୍, ଏକ M4 କାର୍ବାଇନ୍, ଏକ ଗ୍ଲକ୍ ପିସ୍ତଲ ଏବଂ ଚାରୋଟି ଗ୍ରେନେଡ୍ ସମେତ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିସହ ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବାହିନୀ ନଜର ବୃଦ୍ଧି କରୁଛନ୍ତି । ପ୍ରବଳ ତୁଷାରପାତ ପାହାଡିଆ ରାସ୍ତା ଏବଂ ଘାଟିଗୁଡ଼ିକୁ ବନ୍ଦ କରିପାରେ । ତେଣୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଅନୁପ୍ରବେଶ ପ୍ରୟାସକୁ ରୋକିବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନକୁ ତୀବ୍ରତର କରୁଛନ୍ତି । ବର୍ତ୍ତମାନ, କୁପୱାଡ଼ାର ଜୁମାଗୁଣ୍ଡ ଅଞ୍ଚଳରେ ସୁରକ୍ଷା ବାହିନୀ ଅପରେସନ୍ ଜାରି ରଖିଛନ୍ତି ।