ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍: ମଧ୍ୟପ୍ରାଚ୍ୟ ଓ ଓଡ଼ିଶା ମଧ୍ୟରେ ବଢିବ ଅର୍ଥନୀତିକ-ସାମାଜିକ ସମ୍ପର୍କ

0

ଭୁବନେଶ୍ୱର(ଆମ ଟିଭି): ଦୁବାଇରେ ଅନୁଷ୍ଠିତ ହୋଇଯାଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ମଧ୍ୟ ପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଞ୍ଜିନିବେଶ ପାଇଁ ଓଡ଼ିଶାର ଅନୁକୂଳ ପରିବେଶ ସମ୍ପର୍କରେ ବିଦେଶୀ ନିବେଶକଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ବିପୁଳ ପରିମାଣରେ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ନିବେଶକ ସମ୍ମେଳନର ପରିକଳ୍ପନା କରିଥିବା ବେଳେ, ଏହି ପ୍ରୟାସ ଆଗାମୀ ଦିନରେ ରାଜ୍ୟର ବିକାଶକୁ ଅଧିକ ଦୃତତର କରିବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ମଧ୍ୟପ୍ରାଚ୍ୟ ଓ ଓଡ଼ିଶା ମଧ୍ୟରେ ଅର୍ଥନୀତିକ ଓ ସାମାଜିକ ସମ୍ପର୍କକୁ ଏକ ନୂଆ ଦିଗ ପ୍ରଦାନ କରିବା ନେଇ ଆଶା କରାଯାଉଛି । ବିଶେଷକରି ଏହି ନିବେଶକ ସମ୍ମେଳନରେ ଫୁଡ୍ ପ୍ରୋସେସିଂ, ପେଟ୍ରୋକେମିକାଲ, କେମିକାଲ ଏବଂ ପ୍ଲାଷ୍ଟିକ ମେଟାଲ୍ସ, ଇଲେକଟ୍ରୋନିକ୍ସ କମ୍ପାନୀଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବେ ।

ନିକଟ ଅତୀତରେ ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ୱଳ୍ପ ସମୟ ମଧ୍ୟରେ ପରିବେଶ ମଞ୍ଜୁରୀଠାରୁ ଆରମ୍ଭ କରି ଜମି ଅଧିଗ୍ରହଣରେ ସହଜ ନୀତି, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ବାଟକୁ ଖୁବ୍ ସରଳ କରିଛି । ୟୁଏଇରେ ରହୁଥିବା ପ୍ରବାସୀଙ୍କ ଅଭିଜ୍ଞତାକୁ କିପରି ଓଡ଼ିଶାରେ ଲଗାଯାଇପାରିବ ସେନେଇ ମୁଖ୍ୟମନ୍ତ୍ରୀ ସହଯୋଗ କାମନା କରିବେ । ଗତକାଲି ଗଲଫ ଦେଶ ପୁଞ୍ଜିପତି ଓଡ଼ିଆ ଡେଲିଗେସନଙ୍କ ସହ ପାରସ୍ପରିକ ବ୍ୟବସାୟ ପାଇଁ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖି ଉତ୍ସାହିତ ଅଛନ୍ତି ପ୍ରବାସୀ ଓଡ଼ିଆ ।

Leave A Reply

Your email address will not be published.