ଏପ୍ରିଲରୁ ପିଲା ଖାଇବେ ମାଣ୍ଡିଆ ଲଡୁ

0

ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଲଡ଼ୁ ଦିଆଯିବ। ଆସନ୍ତା ଏପ୍ରିଲ ୧ରୁ ସପ୍ତାହକୁ ୩ଟି ଲେଖାଏଁ ଲଡ଼ୁ ପ୍ରଦାନ କରାଯିବ। ପ୍ରତି ସୋମବାର, ମଙ୍ଗଳବାର ଏବଂ ଗୁରୁବାର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏହା ମିଳିବ। ସେହିପରି ମଧ୍ୟାହ୍ନ ଭୋଜନରେ ସପ୍ତାହକୁ ୩ଟି ଅଣ୍ଡା ଦିଆଯିବ। ଏବେ ଦୁଇଟି ଅଣ୍ଡା ଦିଆଯାଉଥିବାବେଳେ ୧ ତାରିଖରୁ ପ୍ରତି ଶୁକ୍ରବାର ଅତିରିକ୍ତ ଗୋଟିଏ ଅଣ୍ଡା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଗିରୀଶ ଚନ୍ଦ୍ର ସିଂହ ସମସ୍ତ ଜିଲାପାଳଙ୍କୁ ଭିନ୍ନ ଭିନ୍ନ ଚିଠି ଲେଖି ଏହା ଅବଗତ କରାଇଛନ୍ତି। ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯିବାକୁ ଥିବା ଲଡ଼ୁ ପାଚିକା ତଥା ସହାୟିକାମାନେ ପ୍ରସ୍ତୁତ କରିବେ। ପ୍ରଧାନମନ୍ତ୍ରୀ ପୋଷଣ ଅଧୀନରେ ଅନ୍ତର୍ଭୁକ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ଲଡ଼ୁ ମିଳିବ। ଗୋଟିଏ ଲଡ଼ୁ ପାଇଁ ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ। ଲଡ଼ୁ ପିଛା ସାମଗ୍ରୀ ପାଇଁ ୩ଟା ୨୪ ପଇସା ଓ ପ୍ରସ୍ତୁତି ଖର୍ଚ୍ଚ ୨୬ ପଇସା ଧାର୍ଯ୍ୟ ହୋଇଛି। ମାଣ୍ଡିଆ ଚୁନା, ଗୁଡ଼, ଚିନାବାଦାମ, ଘିଅ, ରାଶି, ଗୁଜରାତି ଓ ଅଳେଇଚ ଏହି ଲଡ଼ୁ ପ୍ରସ୍ତୁତ ପାଇଁ ଆବଶ୍ୟକ। ଛାତ୍ରଛାତ୍ରୀଙ୍କୁ ମର୍ଣ୍ଣିଂ ଆସେମ୍ଲି ସମୟରେ ପୁଷ୍ଟିକର ଲଡ଼ୁ ପ୍ରଦାନ କରାଯିବା ଚିତ୍ର ଜିଲାପାଳଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ସେୟାର କରିବାକୁ କୁହାଯାଇଛି। ଲଡ଼ୁ ପାଇଁ ଆବଶ୍ୟକ ସାମଗ୍ରୀ ସ୍ଥାନୀୟ ବଜାରରୁ ସାପ୍ତାହିକ/୧୫ ଦିନିଆ ଭିତ୍ତିରେ ପ୍ରଧାନ ଶିକ୍ଷକ କିଣି ଆଣିବେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ପୋଷଣ ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ଦଶମ ଛାତ୍ରଛାତ୍ରୀଙ୍କୁ ଏପ୍ରିଲ ୧ରୁ ସପ୍ତାହକୁ ମିଳିବ ୩ଟି ଅଣ୍ଡା। ବର୍ତ୍ତମାନ ବୁଧବାର ଓ ଶନିବାର ଦୁଇଟି ଅଣ୍ଡା ଦିଆଯାଉଥିବାବେଳେ ଶୁକ୍ରବାର ଗୋଟିଏ ଅତିରିକ୍ତ ଅଣ୍ଡା ମିଳିବ। ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏହା ଯୋଗାଇ ଦିଆଯିବ।

Leave A Reply

Your email address will not be published.