ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ, କହିଲେ ପରାଜୟ ରାଗ ସଂସଦରେ କାହିଁକି
ପରାଜୟର ରାଗ ସଂସଦରେ ପ୍ରକାଶ କରନାହିଁ। ସଂସଦକୁ ସକରାତ୍ମକ ମନଭାବନା ନେଇ ଆସନ୍ତୁ। ଗଣତନ୍ତ୍ରର ମନ୍ଦିରକୁ ରାଜନୀତିର ପ୍ଲାଟଫର୍ମରେ ପରିଣତ କରନ୍ତୁ ନାହିଁ।’ ଆଜି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀଙ୍କୁ କଟାକ୍ଷ କରି ଏଭଳି କିଛି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ହେଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସହ କଥାବାର୍ତ୍ତା କରିଛନ୍ତି। ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ସେ କହିଛନ୍ତି, ଦେଶରେ ଥଣ୍ଡା ଧୀରେ ଧୀରେ ବୃଦ୍ଧି ପାଉଛି, କିନ୍ତୁ ରାଜନୈତିକ ଉଷ୍ଣତା ଦ୍ରୁତ ଗତିରେ ବଢ଼ୁଛି। ଚାରୋଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଉତ୍ସାହଜନକ। ଏହି ଫଳାଫଳ ଦେଶର ଭବିଷ୍ୟତକୁ ନିଶ୍ଚିତ କରିବ। ସକରାତ୍ମକ ଚିନ୍ତାଧାରା ନେଇ ସଂସଦକୁ ଆସିବାକୁ ମୁଁ ସମସ୍ତ ସାଂସଦଙ୍କୁ ନିବେଦନ କରୁଛି। ଗଣତନ୍ତ୍ରର ମନ୍ଦିରକୁ ଏକ ରାଜନୈତିକ ମଞ୍ଚରେ ପରିଣତ କରନ୍ତୁ ନାହିଁ। ଦେଶକୁ ସକରାତ୍ମକତାର ବାର୍ତ୍ତା ଦିଅନ୍ତୁ ବୋଲି ମୋଦି ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି କହିଛନ୍ତି
।