ନୂଆଦିଲ୍ଲୀ(ଆମ ଟିଭି): ପୁଟିନଙ୍କ ସହ ଫୋନରେ କଥା ହେଲେ ନରେନ୍ଦ୍ର ମୋଦୀ । ପୃଥିବୀର ଅନେକ ଅଞ୍ଚଳ ଏବେ ଯୁଦ୍ଧର ବିଭୀଷିକା ମଧ୍ୟରେ କବଳିତ ହେଇଅଛି । ଏଥିରେ ରୁଷ-ୟୁକ୍ରେନ, ଇସ୍ରାଏଲ୍-ପାଲେଷ୍ଟାଇନ ଏବଂ ୟେମେନ ଭଳି ଅନେକ ଦେଶ ପ୍ରତ୍ୟକ୍ଷ ଭାବେ ଓ ଆହୁରି ବହୁ ଦେଶ ପରୋକ୍ଷ ଭାବେ ଏହି ଯୁଦ୍ଧରେ ଲିପ୍ତ ଅଛନ୍ତି । ଏହିଭଳି ତିକ୍ତ ପରିବେଶରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ଏଥି ସହିତ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଇରାନ ଗସ୍ତରେ ଯାଇ ସେଠାରେ ଇରାନର ରାଷ୍ଟ୍ରପତି ତଥା ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ସୋମବାର ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀ ଉପରେ ଆଲୋଚନା କରାଯାଇଥିଲା । ଏହା ସହିତ ଦୁଇ ନେତା ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ମଧ୍ୟ ରାଜି ହୋଇଛନ୍ତି ।