ଭୁବନେଶ୍ୱର(ଆମ ଟିଭି): କିଟ୍ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡିଛି। ଘଟଣା ଦିନକୁ ଦିନ ବିବାଦକୁ ଠେଲି ହେଇ ପଡୁଥିବାବେଳେ ବର୍ତ୍ତମାନ Nepal Govt ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ନେପାଳ ସରକାରଙ୍କ ଦ୍ୱାରା କୁହାଯାଉଛି ଯେ, ଉପୁଜିଥିବା ପରିସ୍ଥିତିକୁ ନ୍ୟାୟ ଏବଂ ଆଇନଗତ ଉପାୟରେ ପରିଚାଳନା ନକଲେ, ଓଡ଼ିଶା ଶିକ୍ଷାନୁଷ୍ଠାନଗୁଡ଼ିକରେ ପଢ଼ିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ନୋ-ଅବଜେକ୍ସନ ସାର୍ଟିଫିକେଟ NOC ବନ୍ଦ କରିଦେବୁ।
କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟକୁ ତାଜୁବ କରିଦେଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ଉଠୁଛିପଡୁଛି। ଘଟଣା ପାଇଁ ଓଡ଼ିଶାକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି। କିଟ୍ କର୍ତ୍ତୃପକ୍ଷଙ୍କ ଏଭଳି ବ୍ୟବହାରକୁ ନେପାଳ ସରକାର ଏବଂ ସେଠାକାର ଛାତ୍ର ସଂଘ କଡ଼ା ବିରୋଧ କରିଛନ୍ତି। ଇତିମଧ୍ୟରେ ଏକ ଜାତୀୟ ଗଣମାଧ୍ୟମରେ ଘଟଣା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବି.ଟେକ୍ ତୃତୀୟ ବର୍ଷ (ମେକାନିକାଲ) ଛାତ୍ର ଆଦଭିକ୍ ଶ୍ରୀବାସ୍ତବ ନେପାଳୀ ଛାତ୍ରୀ ତଥା ବି.ଟେକ୍ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍ସଲ୍(୨୦)ଙ୍କୁ ନିର୍ଯାତନା ଦେଉଥିଲେ। ଏହାକୁ ସହି ନ ପାରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ପ୍ରକ୍ରିତି ଆତ୍ମହତ୍ୟା କରିଥିଲେ। ଆଦଭିକ୍ ସମ୍ପୃକ୍ତା ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଭିଡିଓ କରି ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏହି ଘଟଣାକୁ ନେଇ ପ୍ରକ୍ରିତି ପୂର୍ବରୁ କିଟ୍ ଆଡ୍ମିନଷ୍ଟ୍ରେଟିଭଙ୍କୁ ଅଭିଯୋଗ କରିଥିଲେ। ସେ ବାରମ୍ବାର ଆଦଭିକ୍ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମଧ୍ୟ କିଟ୍ର କୌଣସି ଅଧିକାରୀ ତାଙ୍କ କଥା ଶୁଣି ନ ଥିଲେ, ବରଂ ତାଙ୍କୁ କଲେଜରୁ ବ୍ୟାନ କରିଦେଇଥିଲେ। ଫେବୃଆରୀ ୧୬ ତାରିଖ ତାଙ୍କ ବ୍ୟାନ୍ର ଶେଷ ତାରିଖ ଥିଲା। ଏହି ସମୟ ମଧ୍ୟରେ ଆଦଭିକ୍ ଫ୍ଲାଇଟ୍ ଟିକେଟ୍ ବୁକ୍ କରି ଫେରାର ହେବାର ପ୍ଲାନରେ ଥିଲେ। ଠିକ୍ ସେହିଦିନ କିଛି ଉପାୟ ନପାଇ ନେପାଳୀ ଛାତ୍ରୀଜଣକ ଜୀବନ ହାରି ଦେଇଥିଲେ।