ନୂଆଦିଲ୍ଲୀ (ଆମ ଟିଭି): ନେପାଳରେ ତାଣ୍ଡବ ରଚିଛି ପ୍ରକୃତି। ଭୟଙ୍କର ଭୂମିକମ୍ପରେ ଛାରଖାର ହୋଇଯାଇଛି ନେପାଳ। ପଶ୍ଚିମ ନେପାଳରେ ହୋଇଥିବା ଏହି ଭୂକମ୍ପରେ ଏପର୍ୟ୍ୟନ୍ତ ୧୫୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ବହୁ ସଂଖ୍ୟକ ଲୋକ ଭୂମିହୀନ ହୋଇଛନ୍ତି ଏବଂ ଖାଦ୍ୟ, ଔଷଧ ଇତ୍ୟାଦି ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ନେପାଳକୁ ସାହାଯ୍ୟ କରିବା ପାଇଁ ରବିବାର ଭାରତୀୟ ବାୟୁସେନା ମାଧ୍ୟମରେ ଭାରତ ନେପାଳକୁ ରିଲିଫ୍ ସାମଗ୍ରୀ ପଠାଇଛି।
କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ସି-୧୩୦ ବିମାନ ମାଧ୍ୟମରେ ନେପାଳକୁ ଭାରତ ପଠାଇଥିବା ୧୦ କୋଟି ଟଙ୍କା ମୂଲ୍ୟର ଜରୁରୀକାଳୀନ ରିଲିଫ ସାମଗ୍ରୀର ପ୍ରଥମ ପରିବହନ ସାମଗ୍ରୀ ଗ୍ରହଣ କରାଯାଇଛି। ଏଥିରେ ଟେଣ୍ଟ, କମ୍ବଳ, ଟାରପଲିନ୍ ସିଟ୍, ବେଡସିଟ୍, ଶୋଇବା ବ୍ୟାଗ ତଥା ଅତ୍ୟାବଶ୍ୟକ ଔଷଧ, ପୋର୍ଟେବଲ୍ ଭେଣ୍ଟିଲେଟର ଏବଂ ଚିକିତ୍ସା ଉପକରଣ ଇତ୍ୟାଦି ଅନ୍ତର୍ଭୁକ୍ତ।