ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ

0

ନୂଆଦିଲ୍ଲୀ: ବିହାର ରାଜନୀତି ଏବେ ନୀତୀଶଙ୍କୁ ନେଇ ହଲଚଲ ହେବାରେ ଲାଗିଛି । ବିହାରରେ ରାଜନୈତିକ ହଟଚମଟ ଜାରି । ମହାମେଣ୍ଟ ଛାଡି ପୁଣିଥରେ ଏନଡିଏ ମୁହାଁ ଜେଡିୟୁ, ବିଜେପି ସହ ମିଶି କ୍ଷମତାରେ ବସିପାରନ୍ତି ନୀତୀଶ । ଏପରିକି ଆଜି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆସନ୍ତାକାଲି ବିଜେପି ସହ ମିଣି ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏନଡିଏ ମେଣ୍ଟକୁ ଜେଡିୟୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି, କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହାରି ମଧ୍ୟରେ ଜେଡିୟୁ ପକ୍ଷରୁ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି ।

ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଜଣାଇପାରନ୍ତି ନୀତିଶ । କଂଗ୍ରେସର କିଛି ବିଧାୟକ ମଧ୍ୟ ନୀତିଶଙ୍କ ସହ ଏନଡିଏ ମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ସେପଟେ ବିଜେପି, ଆରଜେଡି ଏବଂ ପକ୍ଷରୁ ଆଜି ବିଧାୟକ ଦଳ ବୈଠକ ଡକାଯାଇଛି । ବିଜେପି ସହ ମିଶି ଜେଡିୟୁ ନୂଆ ସରକାର ଗଠନ କରିବାକୁ ଯାଉଥିବା ବେଳେ ଆରଜେଡି ମଧ୍ୟ କଂଗ୍ରେସ ସହ ମିଶି ସରକାର ଗଢିବା ଯୋଜନାରେ ରହିଛି । ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୨୨ । ମୋଟ୍ ୭୯ ଆସନ ସହ ଲାଲୁ ଯାଦବଙ୍କ ଆରଜେଡି ସବୁଠାରୁ ବଡଦଳ ଏବଂ ୭୮ ଆସନ ସହ ଦ୍ୱିତୀୟରେ ରହିଛି ବିଜେପି ।

ଦୁଇଦଳ ମ୍ୟାଜିକ ନମ୍ବର ଛୁଇଁ ପାରିନଥିବାରୁ ମାତ୍ର ୪୫ ଆସନ ଜିତିଥିବା ନୀତୀଶ କୁମାରଙ୍କ ଜେଡିୟୁ ଉପରେ ନିର୍ଭରଶୀଳ । କଂଗ୍ରେସର ୧୯ ଓ ବାମଦଳର ୧୬ ବିଧାୟକ ଅଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ମୋଟ୍ ବିଧାୟକ ସଂଖ୍ୟା ୧୧୪ । ଏନଡିଏ ମେଂଟ ସହ ଥିବା ହମ ପାର୍ଟିପାଖରେ ରହିଛି ୪ଟି ଆସନ । ତେଣୁ ନୀତୀଶଙ୍କ ସମର୍ଥନ ଯୁଆଡେ ଯିବ ସେ ସରକାରରେ ବସିବ ।

 

Leave A Reply

Your email address will not be published.