ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

0

ଭୁବନେଶ୍ୱର (ଆମ ଟିଭି): ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ ନିମ୍ନ ଚାପରେଖା ବାହାରି ରାଜସ୍ଥାନ ପର୍ଯ୍ୟନ୍ତ ଲମ୍ବିଛି, ଯାହାକି ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରୁଛି। ଏହି ପାଣିପାଗ ନିୟାମକ ପ୍ରଭାବରେ ତଥା ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସୁଥିବା ଓ ବାୟୁମଣ୍ଡଳର ମଧ୍ୟଭାଗରେ ପଶ୍ଚିମା ଦିଗରୁ ଶୁଷ୍କ ବାୟୁ ରହୁଥିବାରୁ, ତାହା ପରସ୍ପର ସହିତ ପ୍ରତିକ୍ରିୟାଶୀଳ ହୋଇ କେତେକ ସ୍ଥାନରେ ବର୍ଷା ହେଉଛି। ଏହି ବର୍ଷାର ପ୍ରଭାବ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରହିବ। କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

୧୦ ଓ ୧୧ତାରିଖରେ ଉପକୂଳ ଓଡ଼ିଶା, ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା ୫ରୁ ୬ଦିନ ଏହିଭଳି ପାଗ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବୁଧବାର ଗଞ୍ଜାମ, ଗଜପତି, ଅନୁଗୋଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ ଓ ମୟୂରଭଞ୍ଜ ଆଦି ୭ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ଜିଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

Leave A Reply

Your email address will not be published.