ଆମ ଦେଶ ନଷ୍ଟ ହୋଇଯାଉଛି: ଡୋନାଲ୍ଡ ଟ୍ରମ୍ପ୍
ନୂଆଦିଲ୍ଲୀ (ଆମ ଟିଭି): ଆମ ଦେଶ ନଷ୍ଟ ହୋଇଯାଉଛି, ଗିରଫ ହୋଇ ଜାମିନରେ ଆସିବା ପରେ ଏପରି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ଟ୍ରମ୍ପ୍ ନ୍ୟୁୟର୍କ ସିଟି କୋର୍ଟରେ ଅଭିଯୁକ୍ତ ହେବା ପରେ ତାଙ୍କ ସମର୍ଥକମାନଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ବୋଧନ ଦେଇ ଏପରି କିଛି କହିଛନ୍ତି। କେବଳ ଅଦାଲତରେ ହାଜର କରାଯିବା ଲାଗି ଟ୍ରମ୍ପ୍ଙ୍କୁ ଖୁବ୍ ସ୍ବଳ୍ପ ସମୟ ପାଇଁ ଗିରଫ କରାଯାଇ ଥିଲା। ତା’ପରେ ନିଜ ବ୍ୟକ୍ତିଗତ ଜେଟ୍ରେ ନ୍ୟୁୟର୍କରୁ ଫ୍ଲୋରିଡାସ୍ଥିତ ବାସଭବନ ‘ମାର୍-ଆ-ଲାଗୋ ଇଷ୍ଟେଟ୍’କୁ ଫେରି ସେଠାରେ ସମବେତ ହୋଇଥିବା ଅସଂଖ୍ୟ ସମର୍ଥକଙ୍କୁ ଉଦ୍ବୋଧନ ଦେବା ବେଳେ ଜୋ ବାଇଡେନ୍ଙ୍କ ନେତୃତ୍ବାଧୀନ ପ୍ରଶାସନକୁ ସମାଲୋଚନା କରି ସେ କହିଲେ, ଆମେରିକାରେ ଏମିତି କିଛି ଘଟିପାରେ ବୋଲି ମୋର ଧାରଣା ନ ଥିଲା। ଦେଶକୁ ନଷ୍ଟ କରିବାକୁ ଚାହୁଁଥିବା ଲୋକଙ୍କୁ ନିର୍ଭିକଭାବେ ପ୍ରତିରୋଧ କରିବା ହେଉଛି ମୋର ଏକମାତ୍ର ଅପରାଧ। ଆମ ଦେଶ ନଷ୍ଟ ହୋଇଯାଉଛି। ଆମ ଦେଶ ପ୍ରତି ଏହା ଅପମାନ।
ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ତାତ୍ସଲ୍ୟ କରି ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକା ରସାତଳକୁ ଚାଲିଯାଉଛି। ଅନେକ କଥାକୁ ନେଇ ବିଶ୍ବ ଆମେରିକାକୁ ବିଦ୍ରୂପ କଲାଣି। ଆମେ ଯଦି ସବୁଠୁ ଖରାପ ୫ଜଣ ରାଷ୍ଟ୍ରପତିଙ୍କୁ ବାଛିବା ତେବେ ଜଣାପଡ଼ିବ, ଜୋ ବାଇଡେନ୍ ପ୍ରଶାସନ ଆମେରିକାର ଯେମିତି କ୍ଷତି କରିଛି, ସେମାନେ ତିଳେମାତ୍ର ସେମିତି କରି ନାହାନ୍ତି। ଉଗ୍ର ବାମପନ୍ଥୀ ‘ପ୍ରୋସିକ୍ୟୁଟର୍’ ତାଙ୍କୁ ଯେକୌଣସି ମତେ ଦୋଷୀ ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଛନ୍ତି।
ତାଙ୍କ ନାଁରେ ଅପରାଧିକ ମାମଲା ଆଗତ କରିଥିବା ନ୍ୟୁୟର୍କ ପ୍ରୋସିକ୍ୟୁଟର୍ ଅଲ୍ବିନ୍ ବ୍ରାଗ୍ଙ୍କୁ କଟୂ ସମାଲୋଚନା କରି ଟ୍ରମ୍ପ୍ କହିଲେ ତାଙ୍କର ପ୍ରଚାର ଅଭିଯାନ ନିର୍ବାଚନ ବାଧକର ସରବ୍ୟ ହୋଇଛି। ଟ୍ରମ୍ପ୍ଙ୍କ ବକ୍ତବ୍ୟ ଶୁଣି ସମର୍ଥକମାନମାନେ ହର୍ଷୋତ୍ଫୁଲ୍ଲ ହୋଇ କରତାଳି ଦେଇଥିଲେ। ସେ କହିଛନ୍ତି, ୨୦୨୪ ନିର୍ବାଚନରେ ବାଧା ଦେବା ପାଇଁ ହିଁ ଏହି ମିଥ୍ୟା ମାମଲା ଦାଏର କରାଯାଇଛି। ତେଣୁ, ଏହାକୁ ତୁରନ୍ତ ଖାରଜ କରାଯିବା ଉଚିତ।