ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଖୁବଶୀଘ୍ର ଏକ ମୁସଲିମ୍ ସହରରେ ପରିଣତ ହେବ: ଡୋନାଲ୍ଡ ଟ୍ରମ୍ପ
ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ, ହିଂସା ଓ ପୋଡ଼ାଜଳା ଘଟଣା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଖୁବଶୀଘ୍ର ଏକ ମୁସଲିମ୍ ସହରରେ ପରିଣତ ହେବ ବୋଲି ଟ୍ରମ୍ପ ଦାବି କରିଛନ୍ତି । ଫ୍ରାନ୍ସରେ ଦେଖାଦେଇଥିବା ଅଶାନ୍ତି ପାଇଁ ସେ ଦେଶର ଅଭିବାସନ ନୀତିକୁ ଦାୟୀ କରିବା ସହ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଟାର୍ଗେଟ୍ କରିଛନ୍ତି ।
ସୋମବାର ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, ଫ୍ରାନ୍ସରେ ଯାହା ଘଟୁଛି ତାହାର ମୂଳ କାରଣ ଶିକ୍ଷା ବ୍ୟବସ୍ଥା ନୁହେଁ ବରଂ ଅଭିବାସନ । ତାଙ୍କ କହିବା ଅନୁସାରେ, ବହୁ ବର୍ଷ ପୂର୍ବରୁ ସେ ମାକ୍ରୋନଙ୍କୁ ସୀମା ସୁରକ୍ଷା କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଫ୍ରାନ୍ସ ସରକାର ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଆବଶ୍ୟକ ନିୟନ୍ତ୍ରଣ ରଖିନଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି ।
ଟ୍ରମ୍ପ ଆହୁରି କହିଛନ୍ତି, ୟୁରୋପୀୟ ଦେଶଗୁଡ଼ିକ ନିଜ ସୀମା ସୁରକ୍ଷିତ ନକଲେ ଭବିଷ୍ୟତରେ ଗୁରୁତର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଅପରାଧରେ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ ଫ୍ରାନ୍ସରେ ପ୍ରଥମେ ଶିକ୍ଷା ବ୍ୟବସ୍ଥାର ସମସ୍ୟାକୁ ନେଇ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ପରବର୍ତ୍ତୀ ସମୟରେ ଦରଦାମ ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚ ବିରୋଧୀ ବ୍ୟାପକ ବିକ୍ଷୋଭର ରୂପ ନେଇଛି । ପ୍ୟାରିସ୍ ସମେତ ବିଭିନ୍ନ ସହରରେ ପ୍ରତିବାଦ ବେଳେ ପୋଲିସ ସହ ସଂଘର୍ଷ, ଦୋକାନ ଭଙ୍ଗାରୁଜା, ଲୁଟପାଟ ଓ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ହିଂସା ପରେ କେତେକ ସ୍ଥାନରେ କର୍ଫ୍ୟୁ ଓ ଜନସମାବେଶ ଉପରେ କଟକଣା ଲଗାଯାଇଛି ।