ଭୁବନେଶ୍ୱର (ଆମ ଟିଭି): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ ତମ ଜନ୍ମଦିନ। ପ୍ରଥମ ଥର ପାଇଁ ସେ ତାଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ, ଗୁଜରାଟ ଛାଡି ଜଗନ୍ନାଥଙ୍କ ମାଟିକୁ ଆସିବେ। ଆଉ ଏହି ଅବସରରେ ସେ ରାଜ୍ୟ ସରକାରର ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।
ସାଧାରଣତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମଦିନ ତାଙ୍କ ମାଙ୍କ ସହିତ ପାଳନ କରିବାରେ ନଜିର ରହିଛି। ହେଲେ ତାଙ୍କ ମାଙ୍କ ଅବର୍ତ୍ତମାନ ପରେ ସେ ସାରା ଦେଶକୁ ତାଙ୍କ ପରିବାର ବୋଲି କହିସାରିଛନ୍ତି। ଆଉ ତାଙ୍କ ମାଙ୍କ ପରଲୋକ ପରେ ମଧ୍ୟ ସେ ନିର୍ବାଚନ ଲଢି ବିଜୟ ହୋଇଛନ୍ତି। ଏବଂ ସେ ତାଙ୍କ ବିଜୟର ଶ୍ରେୟ ମହିଳାଙ୍କୁ ଦେଇଥିଲେ। ତାଙ୍କ ପାଇଁ ସାରା ଦେଶ ହେଉଛି ପରିବାର। ତେଣୁ ସେ ନିର୍ବାଚନ ବେଳେ ‘ମୋଦୀ କା ପରିବାର’ ନାରା ଦେଇଥିଲେ।
କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଫଳତାର ସହ ନିଜର ପଦ ସୁରକ୍ଷିତ ରଖିଛନ୍ତି । ଏହି ବିଜୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ସାଂସଦ। କାରଣ ବିଭିନ୍ନ ରାଜ୍ୟରେ ଯେତେବେଳେ ବିଜେପି ନିରାଶ ହୋଇଛି ସେତେବେଳେ ଓଡ଼ିଶାବାସୀ କିନ୍ତୁ ସମର୍ଥନ କରିଛନ୍ତି।
ନିର୍ବାଚନ ବିଜୟ ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ହେଉ କିମ୍ବା ଅନ୍ତର୍ଜାତୀୟ ଗସ୍ତ ସମୟରେ ମୋଦୀ ଓଡ଼ିଶାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଅନେକ ସମୟରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଠାକୁର ବୋଲି ସେ କହିଛନ୍ତି। ତେଣୁ ଏବେ ତୃତୀୟ ପାଳି ସରକାରରେ ଓଡ଼ିଶାର ଅବଦାନକୁ ମନେ ପକାଇବାକୁ ଯାଇ ସେ ‘ଜୟ ଜଗନ୍ନାଥ’ ନାରା ଦେଉଛନ୍ତି।