“ଗେମ୍ ଓଭର” ଟିମ୍ ତରଫରୁ ସାମ୍ବାଦିକ ସମ୍ମିଳନୀ, ଡିସେମ୍ବରରେ ପୁଣି ଥରେ ହେବ ରିଲିଜ୍

0

ଚଳିତ ବର୍ଷ ଦଶହରା ବଜାରକୁ ସରଗରମ କରିବା ପାଇଁ ରିୟଲ ହିରୋ ଅର୍ଦ୍ଧେନ୍ଦୁ ସାହୁଙ୍କ ଓଡ଼ିଆ ଚଳଚ୍ଚିତ୍ର ଗେମ୍ ଓଭର ସାରା ଓଡିଶାରେ ମୁକ୍ତିଲାଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ଏବଂ ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା ହୋଇଥିଲା l ତେବେ ସେନ୍ସର ସାର୍ଟିଫିକେଟ ଆସିବା ବିଳମ୍ବ ହୋଇଥିବା କାରଣରୁ ଅକ୍ଟୋବର ୧୬ ତାରିଖ ପରିବର୍ତ୍ତେ ୧୮ ତାରିଖରେ ମୁକ୍ତିଲାଭ କରିଥିଲା l ସେହି ପରିପ୍ରେକ୍ଷୀରେ ଅର୍ଦ୍ଧେନ୍ଦୁ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ l ଅର୍ଦ୍ଧେନ୍ଦୁ ସାହୁଙ୍କ ସମେତ କୁନା ତ୍ରିପାଠୀ, ମହାଶ୍ଵେତା ରାୟ, ଜୀବନ ପଣ୍ଡା, ବିଭାସ, ଅଭିନେତ୍ରୀ ସୁପ୍ରିୟା ନାୟକ, ସୋମେଶ ମହାନ୍ତି ଏବଂ ଆକାଶ ପ୍ରମୁଖ ଉପସ୍ଥିତ ଥିଲେ l

ଅର୍ଦ୍ଧେନ୍ଦୁ ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଆମ ରାଜ୍ୟରେ ସୀମିତ ସିନେମା ହଲ୍ ଥିବାରୁ ଗେମ୍ ଓଭର ମୁକ୍ତିଲାଭ କରିବା ପାଇଁ ସମସ୍ୟା ଉପୁଜିଥିଲା l ସିନେ ଦର୍ଶକଙ୍କୁ କଥା ଦେଇଥିବାରୁ ଗୋଟିଏ ସପ୍ତାହ ପାଇଁ ଗୋଟିଏ ସିନେମା ହଲ୍ ରେ ମୁକ୍ତିଲାଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ସେହି ଗୋଟିଏ ସପ୍ତାହରେ ମୁକ୍ତିଲାଭ ଅବସରରେ ସିନେମା ସହିତ ଜଡିତ ଥିବା କିଛି କଳାକାର, ଟେକ୍ନିସିଆନ୍ସ, ସିନେ ସମୀକ୍ଷକ, ପାରିବାରିକ ବନ୍ଧୁ ଏବଂ କିଛି ଗଣମାଧ୍ୟମ ବନ୍ଧୁ ଦେଖିବାର ସୁଯୋଗ ପାଇଥିଲେ l ଦେଖିବା ପରେ ଦର୍ଶକ ଗେମ୍ ଓଭର ଚଳଚ୍ଚିତ୍ରକୁ ନେଇ ବେଶ ପ୍ରଶଂସା କରିଥିଲେ l ଦର୍ଶକଙ୍କ ଭାବାବେଗକୁ ଆଖିରେ ରଖି ଆସନ୍ତା ଡିସେମ୍ବର ମାସରେ ପୁଣି ଥରେ ଗେମ୍ ଓଭର ମୁକ୍ତିଲାଭ କରିବ ବୋଲି ଅର୍ଦ୍ଧେନ୍ଦୁ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ l

ପ୍ରତ୍ୟେକ ବର୍ଷ ରଜ, ଦଶହରା ଭଳି ଗଣପର୍ବରେ ଅର୍ଦ୍ଧେନ୍ଦୁ ଓଡ଼ିଆ ସିନେ ଦର୍ଶକଙ୍କୁ ବଡ଼ ପରଦାରେ ମନୋରଞ୍ଜନ ଯୋଗାଇବାକୁ ଚେଷ୍ଟା କରିଥାନ୍ତି l ଚଳିତ ବର୍ଷ ଡିସେମ୍ବର ଶେଷ ସପ୍ତାହରେ ପୁନର୍ବାର ସେନ୍ସର କରାଯାଇ ଗେମ୍ ଓଭର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରଚାର ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.