ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭାରତର ତତ୍ତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିର ଗାନ୍ଧିଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀର୍ଘ ୯୦ ମିନିଟ୍ ଧରି ନ୍ୟୁଜ୍ଓ୍ୱିକ୍କୁ ସେ ଦେଇଛନ୍ତି ସାକ୍ଷାତକାର। ଏହି ସମୟରେ ସେ ଚାଇନା ଠାରୁ ଆରମ୍ଭ ବିଶ୍ୱ ଅର୍ଥବ୍ୟବସ୍ଥା ଓ ଭାରତର ଅର୍ଥନୈତିକ ବ୍ୟବସ୍ଥାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।
ନ୍ୟୁଜ୍ଓ୍ୱିକ୍କୁ ସାକ୍ଷାତକାର୍ ଦେଇ ମୋଦି କହିଛନ୍ତି, ‘ଭାରତ ପାଇଁ ଚୀନ୍ ସହ ସମ୍ପର୍କ ବେଶ୍ ମହତ୍ୱ ରଖେ ଓ ଏହା ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ସୀମାକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ବିଷୟରେ ଦୁଇ ଦେଶ ଆଲୋଚନା କରିବା ଉଚିତ। ଏହାଦ୍ୱାରା ବିବାଦର ସମାଧାନ ହୋଇପାରିବ। ଭାରତ ଓ ଚୀନ୍ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ବନ୍ଧ କେବଳ ଦୁଇ ଦେଶ ପାଇଁ ନୁହେଁ ବରଂ ପୂରା ବିଶ୍ୱ ପାଇଁ ମହତ୍ୱପୂର୍ଣ୍ଣ। ମୋର ଆଶା ଏବଂ ବିଶ୍ୱାସ ଯେ କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ତଥା ଗଠନମୂଳକ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଆମେ ଆମର ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବୁ।’