ନବୀନଙ୍କୁ ଭେଟିଲେ ନିତି ଆୟୋଗ ଉପାଧ୍ୟକ୍ଷ, ଉଠିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି
ଭୁବନେଶ୍ୱର(ଆମ ଟିଭି): ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାକୁ ନବୀନଙ୍କୁ ଆନୁଷ୍ଠାନିକ ଆମନ୍ତ୍ରଣ କରିଛନ୍ତି । ଏହି ଅବସରରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉପସ୍ଥାପିତ ହୋଇଛି । ନିତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ବେରୀ ଓ ସଦସ୍ୟ ଡଃ ବି କେ ପଲଙ୍କ ସହ ନିତି ଆୟୋଗର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରସ୍ଥିତ ୱାଲର୍ଡ ସ୍କିଲ ସେଂଟର, ମହିଳା ଏସଏଚଜିଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପିପିଲିଠାରେ ଥିବା ୱେଲନେସ୍ ସେଂଟର, ଫାଇଭ-ଟିରେ ରୂପାନ୍ତରିତ ହାଇସ୍କୁଲ ଓ ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ ‘କଳାଭୂମି’ ବୁଲି ଦେଖିଥିଲେ । ଏହାସହିତ ଲୋକସେବା ଭବନର କନଭେନସନ ସେଂଟରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ବିଭିନ୍ନ ବିଭାଗର ସଚିବମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପାୱାର ପଏଂଟ ପ୍ରେଜେଣ୍ଟେସନ ଦିଆଯାଇଥିଲା । ପଂଚାୟତିରାଜ, ପାନୀୟ ଜଳ ସଚିବ ଏ କେ ମୀନା ଓ ଅର୍ଥ ବିଭାଗର ସଚିବ ବିଶାଳ ଦେବ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ ।