ମେକ-ଇନ-ଓଡ଼ିଶା ସମ୍ମିଳନୀ ପାଇଁ ଇପିକଲ-ଫିକି ବୁଝାମଣା

0

ଭୁବନେଶ୍ବର(ଆମ ଟିଭି): ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆୟୋଜିତ ହେବ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨। ଏଥି ପାଇଁ ଆଜି ଫେଡେରେସନ୍ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଫିକି) ଓ ଓଡ଼ିଶା ଶିଳ୍ପ ପ୍ରସାର ଓ ନିବେଶ ନିଗମ (ଇପିକଲ୍‌) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଫିକିର ଡିଜି ଅରୁଣ ଚାୱଲା ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ଇପିକଲ୍‌ର ଏମ୍‌ଡି ଭୁପିନ୍ଦର ସିଂହ ପୁନିଆ ଓ ଫିକିର ଆସିଷ୍ଟାଣ୍ଟ୍‌ ସେକ୍ରେଟାରି ଜେନେରାଲ୍ ଓ ହେଡ୍‌ ଅଫ୍‌ ଷ୍ଟେଟ୍‌ ମୌସୁମୀ ଘୋଷ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଫିକିକୁ ଜାତୀୟ ଶିଳ୍ପ ସହଯୋଗୀ ଭାବେ ଗ୍ରହଣ କରାଯାଇଛି।ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣ (୨୦୧୬)ରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଓ ଦ୍ବିତୀୟ ସଂସ୍କରଣ(୨୦୧୮)ରେ ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ସେଥି ମଧ୍ୟରୁ ୫୩% ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି।

ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣରେ ସରକାର ଅଧିକ ନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥରର କନ୍‌କ୍ଲେଭ୍‌ ଓଡ଼ିଶାକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।ଫିକିର ଡାଇରେକ୍ଟର ଜେନେରାଲ୍ ଶ୍ରୀ ଚାୱଲା ଓଡ଼ିଶାର ନିବେଶ ବାତାବରଣ ଓ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ରହିଥିବା ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.