ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ପୁଣି ବଢିଛି ବିବାଦ । ଦିଲ୍ଲୀ ୬ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ତାଲା ମାରିଛି ପିଡବ୍ଲ୍ୟୁଡି । ଘରର ଗେଟ୍ରେ ବିଭାଗ ପକ୍ଷରୁ ପଡିଛି ଡବଲ୍ ତାଲା । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି ସରକାରୀ କୋଠାକୁ ଖାଲି କରାଯାଇ ଆତିଶୀ ମୁଖ୍ୟମନ୍ତ୍ରୀ ହେବା ପରେ ଏଠାକୁ ଶିଫ୍ଟ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଆବାସ ଖାଲି କରିବା ଓ ହ୍ୟାଣ୍ଡଓଭରକୁ ନେଇ ବିବାଦ କାରଣରୁ ଆକ୍ସନ ନେଇଛି ପିଡବ୍ଲ୍ୟୁଡି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପିଡବ୍ଲ୍ୟୁଡିର ଦୁଇ ସେକ୍ସନ ଅଫିସର ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସ୍ୱତନ୍ତ୍ର ସଚିବଙ୍କୁ ଦିଲ୍ଲୀର ଭିଜିଲାନ୍ସ ବିଭାଗ ହ୍ୟାଣ୍ଡଓଭର ପ୍ରକ୍ରିୟା ଉପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । କେଜ୍ରିୱାଲ୍ ଘର ଖାଲି କରିବ ଦିନ ଘର ଚାବି ସୁନୀତା କେଜ୍ରିୱାଲ ଜଣେ କର୍ମଚାରୀଙ୍କୁ ଦେଇଥିଲେ। ଏହାପରେ ଚାବି ପିଡବ୍ଲ୍ୟୁଡିକୁ ହସ୍ତାନ୍ତର ହୋଇନଥିଲା । ଏହି ମାମଲାରେ ଆପ୍ ଦାବି କରି କହିଛି, ଉପରାଜ୍ୟପାଳ ସିଏମ୍ ଆବାସରୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସବୁ ଜିନିଷ ବାହାର କରିବା ପରେ ସିଏମ୍ ଆବାସକୁ ପିଡବ୍ଲ୍ୟୁଡି ତାଲା ପକାଇଛି।