ଟିକେଟ ପାଇବା ପରେ ଏମିତି କହିଲେ ସନାତନ
ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି ତାଙ୍କ ସହଯୋଗୀ ପ୍ରାର୍ଥିନୀ ମିନାକ୍ଷୀ ମହାନ୍ତଙ୍କୁ ଜିତାଇଥିଲେ। ତେବେ ମିନାକ୍ଷୀ ମହାନ୍ତଙ୍କ ଟିକେଟ୍ କାଟି ସନାତନଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ଯେପରି ପାଣି ବିନା ମାଛ ବଞ୍ଚିପାରିବନି, ସେଭଳି ରାଜନୀତି ବିନା ମୁଁ ବଞ୍ଚି ପାରିବି ନାହିଁ। ଦୀର୍ଘବର୍ଷ ପରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଆଜି ମୁହଁ ଖୋଲି ଏଭଳି କହିଛନ୍ତି। ଜିଲାର ବିତ୍ତଶାଳୀ ସନାତନ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ବିଜେଡି ତାଙ୍କ ନାମ ଘୋଷଣା କରିବା ପରେ ମିଡିଆ ଆଗରେ ଏଭଳି କହିଛନ୍ତି।
ସନାତନ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ି ୨୦୧୪ରେ ଚମ୍ପୁଆରୁ ବିଧାୟକ ହୋଇଥିଲେ । ସେ ବିଜେଡିରେ ମିଶିବା ନେଇ ବହୁ ଆଗରୁ ଚର୍ଚ୍ଚା ହେଉଥିଲା । ତେବେ ବିଜେଡିରେ ଯୋଗଦାନ ଘୋଷଣା ନ ହେଉଣୁ ତାଙ୍କୁ ବିଜେଡି ଚମ୍ପୁଆରୁ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛି। ସେ ଭାଜପାରେ ମିଶିବା ନେଇ ଦଳୀୟ ନେତା ଓ କର୍ମୀମାନେ ଆଶା ବାନ୍ଧି ଅପେକ୍ଷା କରିଥିଲେ। ତେବେ ଆଜି ତାଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଭାଜପା ଶିବିରରେ ନୈରାଶ୍ୟ ଭାବ ଖେଳି ଯାଇଥିବା ବେଳେ ବିଜେଡି ଶିବିରରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ଜନସେବା ମୂଳକ କାର୍ଯ୍ୟ ଓ ଲୋକଙ୍କ ସୁଖଦୁଃଖର ସାଥୀ ଭାବରେ ପରିଚିତ ସନାତନ ରାଜ୍ୟସ୍ତରରେ ଜଣେ ଚର୍ଚ୍ଚିତ ବ୍ୟକ୍ତି ଭାବରେ ପରିଚିତ। ୨୦୧୯ରେ ମୋତେ ନିର୍ବାଚନ ଲଢିବାକୁ ପ୍ରତିବନ୍ଧକ ସୃଷ୍ଟି କରାଗଲା। ଏଣୁ ନିର୍ବାଚନ ଲଢ଼ି ନ ଥିଲି। ମୁଁ ଲାଭ ପାଇବା ପାଇଁ ନିର୍ବାଚନ ଲଢ଼େନାହିଁ। ଏଥିରେ ମୋର ଲାଭ ହୋଇଛି କି କ୍ଷତି ହୋଇଛି ସମସ୍ତେ ଜାଣିଛନ୍ତି।
ଏବେ ଦଳ ଟିକେଟ୍ ଦେଇଛି। ଏଣୁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଦଳ ଭିତରେ ରହି କାମ କଲେ ଅଧିକ କାମ କରିପାରିବି ବୋଲି ଦୃଢ଼ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି। ୧୯୮୪ରୁ ଲୋକଙ୍କ ପାଇଁ କାମ କରିଆସୁଛି। ମୋ ପାଇଁ ଚମ୍ପୁଆ ନିର୍ବାଚନ ମଣ୍ଡଳୀ କାୈଣସି ଚ୍ୟାଲେଞ୍ଜ ହେବ ନାହିଁ। ଲୋକମାନେ ଚାହୁଁଥିଲେ ଓ ଫୋନ୍ କରି କହୁଥିଲେ ସ୍ବାଧୀନ ହେଉପଛେ ଆସି ଚମ୍ପୁଆରୁ ଛିଡା ହୁଅନ୍ତୁ। ତାଙ୍କୁ କହିଥିଲି ନାମାଙ୍କନପତ୍ର ଦାଖଲ ବେଳେ ଯିବି।