ଇଣ୍ଡୋନେସିଆରେ ଜାହାଜ ଦୁର୍ଘଟଣା ପରେ ସର୍ଚ୍ଚ ଅପରେସନ ଜାରି, ୧୨୯ ଜଣ ଏବେ ବି ନିଖୋଜ

0

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଜାହାଜ ଦୁର୍ଘଟଣା ପରେ ସର୍ଚ୍ଚ ଅପରେସନ ଜାରି । ଶନିବାର ଖରାପ ପାଗ ଓ ଅଶାନ୍ତ ସମୁଦ୍ର ମଧ୍ୟରେ ଜାଭା ସାଗରରେ ଯାତ୍ରୀବାହୀ ଜାହାଜ ‘Virgo Transport 8’ ଓଲଟିଥିଲା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୯ ଜଣ ଏବେ ବି ନିଖୋଜ ଅଛନ୍ତି । ୧୦୮ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଇଷ୍ଟ ଜାଭାର ସୁରାବାୟାରୁ ସାଉଥ୍ କାଲିମାନ୍ତାନର ବାଞ୍ଜାରମାସିନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଜାହାଜ । ଏଥିରେ ୩୦ ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ ୨୪୩ ଜଣ ଥିଲେ । ଗତକାଲି ଭୋରରେ ଖରାପ ପାଗ ମଧ୍ୟରେ ଜାହାଜଟି ବିପଦରେ ପଡ଼ିଥିଲା । ପରେ ହେଲିକପ୍ଟରରୁ ଜାହାଜଟି ଓଲଟି ପଡ଼ିଥିବା ଦେଖାଯାଇଥିଲା ।

ଦୁର୍ଘଟଣା ପରେ ସମୁଦ୍ରରେ ବ୍ୟାପକ ଉଦ୍ଧାର ଅଭିଯାନ ଚାଲିଛି । ନିଖୋଜ ୧୨୯ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଅଭିଯାନ ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ଯାତ୍ରୀଙ୍କୁ ଅନ୍ୟ ଜାହାଜକୁ ନିଆଯାଇଛି । ଜଣେ ଉଦ୍ଧାର ପାଇଥିବା ଯାତ୍ରୀ ରିଣ୍ଟୋ ଆରାହାବ କହିଛନ୍ତି, ଜାହାଜ ଓଲଟିବା ପରେ ସେ ରେଲିଂକୁ ଜୋରରେ ଧରି ରହିଥିଲେ । କୌଣସି ପ୍ରକାରେ ଜାହାଜର ଉପର ଅଂଶକୁ ଚଢ଼ି ଜୀବନ ବଞ୍ଚାଇଥିଲେ ।

ସେହି ସମୟରେ ତାଙ୍କ ପାଖରେ ପ୍ରାର୍ଥନା କରିବା ଛଡ଼ା ଆଉ କୌଣସି ଉପାୟ ନଥିଲା । ଏପଟେ ବାଞ୍ଜାରମାସିନରେ ନିଖୋଜ ଯାତ୍ରୀଙ୍କ ପରିବାର ଲୋକେ ଖବର ପାଇବା ଅପେକ୍ଷାରେ ରହିଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ କଣ, ତାର ତଦନ୍ତ ଚାଲିଥିବା ଇଣ୍ଡୋନେସିଆର ପରିବହନ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.