କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ଦ୍ୱାରା ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ-ରାଜସ୍ୱ ମନ୍ତ୍ରୀ

0

ଭୁବନେଶ୍ୱର:କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ଦ୍ୱାରା ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ନେଇ ଆକଳନ ଚାଲିଛି । ବନ୍ୟାରେ କ୍ଷୟକ୍ଷତି ବାବଦରେ ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ଆଲୋଚନା ହେବ । କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ ଆସିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ଚଳିତ ବର୍ଷ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । କୃଷି ବିଭାଗର କ୍ଷୟକ୍ଷତି ଓ ସାହାଯ୍ୟ ନେଇ ଆଜି ବସିବାକୁ ଥିବା ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କରେ ଆଲୋଚନା ହେବ । ଚାଷୀଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଇ ଦିଆଯିବ । ସେହିପରି ପନିପରିବା ଚାଷୀମାନଙ୍କୁ ମଧ୍ୟ ଅଧିକ ସାହାଯ୍ୟ ଦିଆଯିବ । କୃଷି, ସମବାୟ, ପଶୁସମ୍ପଦ ବିଭାଗ ଦ୍ୱାରା ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ । ସେଥିପାଇଁ ଡାଟା ବେସ ପ୍ରସ୍ତୁତ କରାଯାଉଛି । ଯାହାର ଯାହା କ୍ଷତି ହୋଇଛି, ସେଥିପାଇଁ ନିୟମାବଳୀ ହିସାବରେ କ୍ଷତିପୂରଣ ପ୍ରଦାନ କରାଯିବ ।”

ମନ୍ତ୍ରୀ ଆହୁରି କହିଛନ୍ତି, “ଯଦି କେହି ସହାୟତା ପାଇବାରୁ ବଞ୍ଚିତ ହୋଇଥାଆନ୍ତି, ତେବେ ସେମାନେ ନିକଟସ୍ଥ ପଞ୍ଚାୟତ ଅଫିସ କିମ୍ବା ନିକଟସ୍ଥ ବ୍ଲକ ଅଫିସକୁ ଯାଇ ଜଣାଇ ପାରିବେ । ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ କୌଣସି କେନ୍ଦ୍ରୀୟ ଟିମ ଆସିବାର ଯୋଜନା ନାହିଁ । ଆବଶ୍ୟକ ହେଲେ କେନ୍ଦ୍ରକୁ ଅଧିକ ସହାୟତା ମାଗିବୁ । ଏବେ ସେକଥା ଚିନ୍ତା କରାଯାଇନାହିଁ । କ୍ଷୟକ୍ଷତିର ଆକଳନ ପରେ ଜଣାପଡ଼ିବ ।”

ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଚଳିତ ବର୍ଷ ଓଡ଼ିଶାରେ ପ୍ରଥମ ଥର ଲାଗି ଗୋଟିଏ ପରେ ଗୋଟିଏ ବନ୍ୟା ଆସୁଛି । ଛୋଟ, ମଧ୍ୟମ ଓ ଗମ୍ଭୀର ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଆଗାମୀ ଦିନରେ ଲଘୁଚାପ ଓ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଅଛି । ବର୍ଷା ହେବା ସହ ବନ୍ୟା ବି ହେଉଛି । ଲୋକେ ବନ୍ୟା ଆଶ୍ରୟସ୍ଥଳକୁ ଆସୁଛନ୍ତି । ବନ୍ୟା ଛାଡିଲେ ଘରକୁ ଫେରୁଛନ୍ତି । ବିଗତ 15 ଦିନ ଭିତରେ 24ଟି ଜିଲ୍ଲାର 154ଟି ବ୍ଲକର 879 ଟି ପଞ୍ଚାୟତ ଏବଂ 2855ଟି ଗାଁ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛି । 17ଟି ସହରାଞ୍ଚଳରେ 209ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ 13 ଲକ୍ଷ 71 ହଜାର 338 ଲୋକ ପ୍ରଭାବିତ ହୋଇଛନ୍ତି । 7 ଲକ୍ଷ 22 ହଜାର 732 ଲୋକଙ୍କୁ ପର୍ଯ୍ୟାୟକ୍ରମେ 366ଟି ଗାଁରୁ ସ୍ଥାନାନ୍ତରିତ କରାଯାଇଛି ।”

ସେହିପରି 79 ହଜାର 824 ହେକ୍ଟର ଚାଷ ଜମି ଓ 5044ଟି ଘର କ୍ଷତିଗ୍ରସ୍ତ ହୋଇଛି । ସରକାରଙ୍କ ପକ୍ଷରୁ 783 ରିଲିଫ କ୍ୟାମ୍ପ ଖୋଲାଯାଇଛି । ଏହା ଦ୍ବାରା 7 ଲକ୍ଷ 26 ହଜାର 441 ଲାଭାର୍ଥୀ ସାହାଯ୍ୟ ସହଯୋଗ ନେଇଛନ୍ତି । 31 ସ୍ଥାନରେ ପଶୁ ସମ୍ପଦକୁ ସ୍ଥାନାନ୍ତରିତ ହୋଇଛି । 90.5 କ୍ୟୁଣ୍ଟାଲ ଚାଉଳ, 356. 3 କୁଇଣ୍ଟାଲ ଗୁଡ଼ ଦିଆଯାଇଛି । 8708 ପଲିଥିନ ପ୍ରଭାବିତ ଲୋକଙ୍କୁ ଦିଆଯାଇଛି । 110 କୋଟି ଟଙ୍କା ବିଭିନ୍ନ ଜିଲ୍ଲାକୁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଆହୁରି 26 କୋଟି ଟଙ୍କା ଅଧିକ ସାହାଯ୍ୟ ଦିଆଯାଇଛି । ଏଥିରୁ ଭଦ୍ରକକୁ 5 କୋଟି, ଯାଜପୁରକୁ 5 କୋଟି, କଟକକୁ 2 କୋଟି, କେନ୍ଦୁଝରକୁ 5 କୋଟି, ବାଲେଶ୍ଵରରେ 5 କୋଟି, ମୟୁରଭଞ୍ଜକୁ 2 କୋଟି ଟଙ୍କା ଦିଆଯାଇଛି । କିଛି ଜିଲ୍ଲାରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲାଣି । ଆଉ କିଛି ଜିଲ୍ଲାରୁ ଆଂଶିକ ରିପୋର୍ଟ ଆସିଛି ।

Leave A Reply

Your email address will not be published.