ଭୁବନେଶ୍ୱର (ଆମ ଟିଭି): ବୁଧବାର ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କ ବୟାନ ଶୁଣି ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଉଠିଛି। ସୁଜାତା କହିଛନ୍ତି, ମୋର ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ିବାର ନାହିଁ। ଯାହାଙ୍କ ପାଇଁ ମୁଁ ଏଯାଏ ଆସିଛି, ସେମାନେ ଏହି କଥା କହିନାହାନ୍ତି। ଯାହା ସବୁ ପ୍ରଚାର ଚାଲିଛି , ସେଥିରେ କୌଣସି ସତ୍ୟତା ନାହିଁ। ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ କହିନାହାନ୍ତି। ସେ ଯାଜପୁର ପାଇଁ ଲଢ଼ିବେ କହିଛନ୍ତି, କିନ୍ତୁ ଉପନିର୍ବାଚନ ନୁହେଁ। ବୁଧବାର ବବି କହିଥିଲେ, ମୁଁ ପୁଣି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। ସେ ଏପରି କହି ଯାଜପୁର ରାଜନୀତିକୁ ସରଗରମ କରିଦେଇଥିଲେ। ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ବବି ଏହି କଥା କହିଥିଲେ। ତେବେ ବବିଙ୍କ ଏହି ଦମ୍ଭୋକ୍ତି ପରେ ପୂରା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।
ଶତାଧିକ କର୍ମୀଙ୍କ ଉପସ୍ଥିତିରେ ବବି କହିଥିଲେ, ମୋ’ ଦେହରେ ଶତସିଂହର ବଳ ଆସିଛି। ମାଆ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ସମ୍ବଲପୁରରୁ ନିର୍ବାଚନ ଲଢିଥିଲି। ଯାଜପୁର ବିଧାୟିକା ପ୍ରାର୍ଥୀଙ୍କ ପାଇଁ ଦିନେ ବି ସମୟ ଦେଇପାରି ନ ଥିଲି। ତଥାପି ଯାଜପୁରବାସୀ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ମୁଁ ସେହି ଅଶୋକ ଦାସଙ୍କ ପୁଅ ଓ ବିଜୁ ବାବୁଙ୍କ ଦାୟାଦ। ଅଶୋକ ଦାସଙ୍କ ପୁଅ ଭାବେ କେବେ ବି ଜେଲ ଯିବାକୁ ଭୟ କରିନାହିଁ। ମୋତେ କେହି ବି ନବୀନ ପଟ୍ଟନାୟକଙ୍କଠାରୁ ଅଲଗା କରିପାରିବେ ନାହିଁ।