SBIକୁ ପୁଣି ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ

0

ନୂଆଦିଲ୍ଲୀ (ଆମ ଟିଭି): ଇଲୋକ୍ଟରଲ ବଣ୍ଡ ବା ନିର୍ବାଚନୀ ବଣ୍ଡକୁ ନେଇ ସୁପ୍ରିମକୋର୍ଟ ଏସବିଆଇ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟଙ୍କ ଆଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ଦେଇ ସାରିଛି। ନିର୍ବାଚନ ଆୟୋଗ ଏହି ସୂଚନାକୁ ନିଜ ଓ୍ବେବସାଇଟରେ ଅପଲୋଡ ମଧ୍ୟ କରି ସାରିଛନ୍ତି। ହେଲେ ପୁଣି ବ୍ୟାଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି କୋର୍ଟ। କହିରଖୁଛୁ କି, ଏସବିଆଇ ପକ୍ଷରୁ ନିର୍ବାଚନୀ ବଣ୍ଡରେ ୟୁନିକ କୋଡ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। କୋର୍ଟ ଏଥିପାଇଁ ବ୍ୟାଙ୍କକୁ ଆହୁରି ସୋମବାର ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ସମୟ ଦେଇଛନ୍ତି।

ଏସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ(ADR) ଦ୍ୱାରା ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡକୁ ନେଇ ଯାଚିକା ଦାଖଲ କରାଯାଇଛି। ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପକ୍ଷ ନେଇଛନ୍ତି। ଏଡିଆର ନିଜର ମୂଳ ଯାଚିକାରେ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କରିବାକୁ ଦାବି ରଖିଥିଲା। ପରେ ଏସିବିଆଇ ଦ୍ୱାରା ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରାଯାଇଛି ହେଲେ ଏଥିରେ ଥିବା ୟୁନିକ କୋଡର ନମ୍ବର ଦିଆଯାଇ ନାହିଁ। ଏଥିସହ ଏସବିଆଇ ୨୦୧୯ରୁ ୨୦୨୪ ଯାଏଁ ଥିବା ତଥ୍ୟ ପବ୍ଲିକ କରିଛି। କିନ୍ତୁ ପୂର୍ବ ତଥ୍ୟ ଦେଇନାହିଁ। କହିରଖୁଛୁ କି, ୨୦୧୯ ପୂର୍ବ ନିର୍ବାଚନୀ ବଣ୍ଡରେ ଅଧିକ ବଣ୍ଡ କିଣାଯାଇଛି। ୟୁନିକ କୋଡ ଦ୍ୱାରା କେଉଁ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ଦ୍ୱାରା କେବେ ଓ କାହାକୁ ବଣ୍ଡ କିଣାଯାଇଛି ଓ କେଉଁ ପାର୍ଟିକୁ ଦିଆଯାଇଛି ଏସବୁର ତଥ୍ୟ ମିଳିପାରିବ।

ସୂଚନାଥାଉ କି, ନିର୍ବାଚନୀ ବଣ୍ଡର ଦସ୍ତାବିଜରେ ଏକ ସିକ୍ରେଟ ନମ୍ବର ରହିଥାଏ। ଏହାକୁ କେବଳ ଅଲଟ୍ରା ଭାଓଲେଟ ଲାଇଟ୍‌ରେ ଦେଖିହେବ। ଏହି କୋଡକୁ ନିର୍ବାଚନୀ ବଣ୍ଡର ସୁରକ୍ଷା ପାଇଁ ଲଗାଯାଇଛି। ଯାହାଦ୍ୱାରା ଏହାକୁ କିଏ କିଣିଛନ୍ତି କିମ୍ବା କାହାକୁ ଦିଆଯାଇଛି ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଏସବିଆଇ ଇଲୋକ୍ଟରଲ ବଣ୍ଡ ଉପରେ ଛପା ଯାଇଥିବା ୟୁନିକ ଆଲଫାନ୍ୟୁମେରିକ କୋଡ୍‌ର ବିବରଣୀ ସାର୍ବଜନୀନ କରିନାହିଁ। ଏସବିଆଇ ଅନୁସାରେ, ଗୋଟିଏ ଗୋଟିଏ କରି ସବୁ ନିର୍ବାଚନୀ ବଣ୍ଡର ତଥ୍ୟ ବାହାର କରିବାକୁ ବହୁତ ସମୟ ଲାଗିଯାଉଛି।

Leave A Reply

Your email address will not be published.