ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି । ଏହାରି ଭିତରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଶୁକ୍ରବାର ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଚୌକିକୁ ଜାବୁଡି ଧରି ରହୁଥିବା ବ୍ୟକ୍ତି ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସିଏମ ନୀତୀଶ କୁମାର ତାଙ୍କୁ ପବ୍ଲିସିଟି ଏବଂ ବୟାନବାଜିର ଏକ୍ସପର୍ଟ ବୋଲି କହିଥିଲେ । ନୀତୀଶ କୁମାରଙ୍କୁ ଟାର୍ଗେଟ କରି ପ୍ରଶାନ୍ତ କିଶୋର କହିଛନ୍ତି, ‘ଯଦି ଫେଭିକଲ କମ୍ପାନି ମୋତେ ଭେଟନ୍ତି ତେବେ ନୀତୀଶ କୁମାରଙ୍କୁ ନିଜର ବ୍ରାଣ୍ଡ ଆମ୍ୱାସେଡର କରିବା ପାଇଁ ପରାମର୍ଶ ଦେବି’। ପ୍ରଶାନ୍ତ କିଶୋର କହିଛନ୍ତି, ସରକାର ଯାହାର ହେଉ ନାହିଁ କାହିଁକି ଚୌକିକୁ ସେ ଜାବୁଡି ଧରନ୍ତି।
ପ୍ରଶାନ୍ତ କିଶୋର କହିଛନ୍ତି, ‘ଗୋଟିଏ ମାସ ପୂର୍ବେ ୯୦ ଡିଗ୍ରୀ କୋଣରେ ମୁଣ୍ଡକୁ ନୁଆଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଣାମ କରୁଥିବା ବ୍ୟକ୍ତି ଯଦି କାହାକୁ ବିଜେପିର ବି ଟିମ କରିବ ତେବେ ଏହାକୁ ଆମେ ହସିବୁ ନାଁ କାନ୍ଦିବୁ । ବିଜେପି ସହ ରହିବା କିମ୍ୱା ନରହିବା ନୀତୀଶ କୁମାରଙ୍କ ସାର୍ଟିଫିକେଟର ଜିରୋ ଭେଲ୍ୟୁ’। ଏହା ପୂର୍ବରୁ ସୋମବାର ଏକ ବୟାନରେ ପ୍ରଶାନ୍ତ କିଶୋର କହିଥିଲେ, ବିହାର ରାଜନୈତିକ ଦୃଶ୍ୟପଟର ପ୍ରଭାବ ସାରା ଦେଶରେ ପଡ଼ିବ ନାହିଁ। ଏହା କେବଳ ରାଜ୍ୟ କେନ୍ଦ୍ରୀତ ଅଟେ। ୨୦୨୫ ବିହାର ନିର୍ବାଚନରେ ପରିବର୍ତ୍ତନର ଭବିଷ୍ୟତବାଣୀ କରିଥିଲେ। ଏଭଳି ଭାବେ ପ୍ରଶାନ୍ତ କିଶୋର ଓ ନୀତୀଶଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି ।