ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ

0

ନୂଆଦିଲ୍ଲୀ (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜିଠାରୁ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ବିଶ୍ବର ପ୍ରମୁଖ ୨୦ଟି ମହାଶକ୍ତିଙ୍କୁ ନେଇ ଗଠିତ ଏହି ଗୋଷ୍ଠୀର ୧୮ତମ ସମ୍ମିଳନୀ ପ୍ରଥମଥର ପାଇଁ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି। ଚଳିତବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଆମେରିକା,ବ୍ରିଟେନ, କାନାଡା,ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ୨୦ ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଭାବେ ଅନ୍ୟ ବହୁ ଦେଶର ନେତା ଯୋଗ ଦେଉଛନ୍ତି। ଜି-୨୦ ସମ୍ମିଳନୀକୁ ନେଇ ସାରା ଦିଲ୍ଲୀରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାବ୍ୟତୀତ ଦିଲ୍ଲୀରେ ନବ ନିର୍ମିତ ଭାରତ ମଣ୍ଡପକୁ ମଧ୍ୟ ଆକର୍ଷଣୀୟ ଶୈଳୀରେ ସଜ୍ଜିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହିତ ପ୍ରାୟ ୧୫ଟି ରାଷ୍ଟ୍ର ନେତାଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବେ।

ଦୁଇ ତୃତୀୟାଂଶ ବିଶ୍ବ ଜନସଂଖ୍ୟା ସମେତ ମୋଟ ବୈଶ୍ବିକ ଅର୍ଥନୀତିର ୮୫ ଭାଗ ଏବଂ ମୋଟ ରପ୍ତାନିର ଶତକଡ଼ା ୭୫ ଭାଗ ଏହି ରାଷ୍ଟ୍ରମାନଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବାରୁ ଏହି ଗୋଷ୍ଠୀର ପ୍ରଭାବ ସାରା ବିଶ୍ବରେ ଅଦମନୀୟ ରହିଛି। ତେବେ ପ୍ରଥମଥର ଲାଗି ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀକୁ ସଫଳ କରିବା ଲାଗି ଭାରତ ସରକାର ସବୁ ସ୍ତରରେ ଉଦ୍ୟମ କରିଛନ୍ତି।

Leave A Reply

Your email address will not be published.