ନୂଆଦିଲ୍ଲୀ : ଚଳିବ ବିଶ୍ବକପ୍ ମଧ୍ୟରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଲାଗିଛି ବଡ଼ ଝଟକା। ଶ୍ରୀଲଙ୍କ କ୍ରିକେଟ୍ ବୋର୍ଡରେ ମାତ୍ରାଧିକ ସରକାରୀ ହସ୍ତକ୍ଷେପ ଯୋଗୁଁ ଶ୍ରୀଲଙ୍କା କ୍ରିକେଟକୁ ଆଇସିସି ନିଲମ୍ବନ କରିଛି। ଆଇସିସି ବୋର୍ଡ ଶୁକ୍ରବାର ଅନଲାଇନରେ ବୈଠକ କରି ଶ୍ରୀଲଙ୍କ କ୍ରିକେଟ୍ ବୋର୍ଡ ସ୍ଥିତିର ସମାଧାନ କରିବା ସହ ଶ୍ରୀଲଙ୍କା କ୍ରିକେଟ୍ ସଦସ୍ୟ ଭାବେ ନିଜ ଦାୟିତ୍ବର ଗୁରୁତର ଉଲ୍ଲଙ୍ଘନ କରୁଛି ବୋଲି ହୃଦବୋଧ କରିଛି। ବିଶେଷ କରି, ସ୍ୱୟଂଶାସିତ ଭାବେ ଏହାର ପରିଚାଳନା କରିବା ଏବଂ ଯେପରି କୌଣସି ସରକାରୀ ହସ୍ତକ୍ଷେପ ନହୁଏ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ହେଲେ ଶ୍ରୀଲଙ୍କାରେ କ୍ରିକେଟ୍ ନିୟନ୍ତ୍ରଣରେ ସରକାର ହସ୍ତକ୍ଷେପ ହେବା ଏହା ଆଇସିସି ନିୟମର ବିରୋଧରେ ରହିଛି। ନିକଟରେ ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଭଙ୍ଗ କରିଥିଲେ। ଏହାପରେ ଆଇସିସିର ଏହି ବୈଠକ ବସିଥିଲା।
ବୈଠକରେ ଆଇସିସି ଶ୍ରୀଲଙ୍କା କ୍ରିକେଟର ସଦସ୍ୟତା ପଦକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଇସିସି ରିଲିଜ କରିଥିବା ବିବୃତିରେ କହିଛି ଯେ “ଆଇସିସି ବୋର୍ଡ ଆଜି ବୈଠକ କରିଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆଇସିସିର ସ୍ଥାୟୀ ସଦସ୍ୟ ଭାବେ ସବୁ ପ୍ରକାରର ନିୟମ ଉଲ୍ଲଙ୍ଘନ କରିଥିବା ବୋର୍ଡ ଜାଣିବାକୁ ପାଇଛି।
ଏହାପୂର୍ବରୁ ମଧ୍ୟ ୨୦୧୯ରେ ଜିମ୍ବାଓ୍ବେ କ୍ରିକେଟକୁ ନିଲମ୍ବନ କରାଯାଇଥିଲା। ଆଇସିସି ଏଯାଏ ନିଲମ୍ବନ ସର୍ତ୍ତ ଘୋଷଣା କରିନଥିଲେ ମଧ୍ୟ ଏଥିରେ ପାଣ୍ଠି ଯୋଗାଣ ଉପରେ କଟକଣା ଏବଂ ଅନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଶ୍ରୀଲଙ୍କା ଦଳ ଉପରେ ପ୍ରତିବନ୍ଧକ ଲଗାଯିବାର ସମ୍ଭାବନା ରହିଛି।