କୋଲକାତା (ଆମ ଟିଭି): ପୁଣି ପଶ୍ଚିମବଙ୍ଗରେ ଖଣ୍ଡଯୁଦ୍ଧ । ମୁହାଁମୁହିଁ ଟିଏମସି ଓ ବିଜେପି କର୍ମୀ । ପଶ୍ଚିମବଙ୍ଗରେ ଆରମ୍ଭ ହୋଇଯାଇଛି ମୋଦି ବନାମ ଦିଦି ରାଜନୀତି । ମମତା ବାନାର୍ଜୀ ସରକାର ବିରୋଧରେ ବିଜେପି ବଙ୍ଗଳାରେ ବିକ୍ଷୋଭ ଆରମ୍ଭ କରିଦେଇଛି । କୋଲକାତା ସମେତ ବଙ୍ଗଳାର ଅନେକ ସହରରେ ବିଜେପି କର୍ମୀମାନେ ରାସ୍ତାରେ ମମତା ସରକାରଙ୍କ ବିରୋଧରେ ନାରାବାଜି କରୁଥିବାର ନଜର ଆସିଛନ୍ତି। ବିଜେପି କର୍ମୀମାନେ ମମତାଙ୍କ ସରକାରଙ୍କୁ ଜୋରଦାର ବିରୋଧ କରୁଛନ୍ତି। ତେବେ ପରିସ୍ଥିତି ଏତେ ଜଟିଳ ହୋଇଯାଇଥିଲା କି ପୋଲିସ ବିଜେପି କର୍ମୀଙ୍କ ଉପରେ ଲୁହବୁହା ଗ୍ୟାସ ବ୍ୟବହାର କରିଛି। ଏଥି ସହିତ ଆନ୍ଦୋଳନକାରୀ ମାନେ ଗୋଟିଏ ପୋଲିସ ଭ୍ୟାନରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ଘଟଣାରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଛି।
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଘଟିଛି। ଏଠାରେ ବିଜେପି କର୍ମୀମାନେ ମମତା ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଟିଏମସି ନେତାମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଭୟଙ୍କ ମଧ୍ୟରେ ନାରାବାଜି କଥାକୁ ନେଇ ସଂଘର୍ଷ ହୋଇଥିଲା।ଘଟଣାରେ ଟିଏମସି ନେତାମାନେ ସେମାନଙ୍କ ଉପରେ ପ୍ରଥମେ ଆକ୍ରମଣ କରିଥିବା ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ, ବିଜେପି କର୍ମୀମାନେ ମମତା ସରକାରଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ରାଜଧାନୀ କୋଲକାତା ସମେତ ଅନେକ ସହରରେ ମୋର୍ଚ୍ଚା ମଧ୍ୟ ଖୋଲାଯାଇଛି। ବିଜେପି କର୍ମୀଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କୋଲକାତାର ସଚିବାଳୟ ନିକଟରେ ବହୁ ସଂଖ୍ୟକ ପୋଲିସ ନିୟୋଜିତ ହୋଇ ବ୍ୟାରିକେଡ୍ କରାଯାଇଛି। ସେପଟେ ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।