ଟିଏମ୍ସି ଗୁଣ୍ଡାମାନେ କରୁଛନ୍ତି ହଇରାଣ: ଏଣିକି ପଶ୍ଚିମବଙ୍ଗ ନୁହେଁ, ଏହି ରାଜ୍ୟରୁ ଆସିବ ଆଳୁ
ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ଧୀରେ ଧୀରେ କମାଯିବ ଏବଂ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣାଯିବା ବ୍ୟବସ୍ଥା କରାଯିବ। ଏ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ବିଭାଗୀୟ ବରିଷ୍ଠ ଅଧିକାରୀ, ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଏବଂ ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସିବା ବେଳେ ଟିଏମ୍ସି ଗୁଣ୍ଡା ହଇରାଣ କରୁଛନ୍ତି। ସୀମାରେ ଗାଡ଼ି ଅଟକାଇ ଜୋର୍ ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି। ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟିକରିବା ସହ ମନମୁଖି କାର୍ଯ୍ୟ ପ୍ରତିବାଦରେ ଏଣିକି ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଉତ୍ତରପ୍ରଦେଶରୁ କିଛି ଟ୍ରକ୍ ଭର୍ତ୍ତି ଆଳୁ ଆସି ରାଜ୍ୟରେ ପହଞ୍ଚିଛି। ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ। ଏହାଦ୍ୱାରା ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁକୁ ନେଇ ନିର୍ଭରଶୀଳତା ହ୍ରାସ ପାଇବ। ଏଥିଲାଗି ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ଏକ ପ୍ରତିନିଧି ମଣ୍ଡଳୀ ଖୁବ୍ଶୀଘ୍ର ଉତ୍ତରପ୍ରଦେଶ ଗସ୍ତ କରିବ। ମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାର ଅସ୍ମିତା ରକ୍ଷା ସହ ପଡ଼ୋଶୀ ରାଜ୍ୟ ଉପରେ ଆଳୁ ନିର୍ଭରଶୀଳତା ହ୍ରାସ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଆଳୁ ସହ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ବ୍ୟବସାୟୀ ଏବଂ ବିଭିନ୍ନ ସଂଘର ଅନୁରୋଧକୁ ରକ୍ଷାକରି ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେଇଥିବା ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଆଳୁ ଦର ରାଜ୍ୟରେ ପ୍ରାୟ ୬୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚତ୍ୟାଇଥିଲା। ବର୍ତ୍ତମାନ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆଳୁ ୪୦ ଟଙ୍କାରେ ବିକ୍ରି ହେଉଛି। ମନ୍ତ୍ରୀଙ୍କ ଚେତାବନୀ ସତ୍ତ୍ୱେ ୭ ଦିନ ପରେ ମଧ୍ୟ ବଜାରରେ ଆଳୁ ଏଯାଏ ୩୨ ଟଙ୍କାରେ ପହଞ୍ଚିପାରି ନାହିଁ। ତେବେ ଦର ବୃଦ୍ଧି ପାଇବା ପରେ ପଶ୍ଚିମବଙ୍ଗରୁ ଆଳୁ ଆସିବାରେ ସମସ୍ୟା କଥା ସାମ୍ନାକୁ ଆସିଥିଲା। ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସୀମାରେ ଶହ ଶହ ଆଳୁ ଟ୍ରକ୍ ଅଟକି ରହିଥିଲା। ଟ୍ରକ୍ ଡ୍ରାଇଭରମାନଙ୍କୁ ପଚାରିବାରୁ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶ ଅନୁୟାୟୀ ଟ୍ରକ୍ଗୁଡିକ ଓଡ଼ିଶା ଛଡ଼ାଯାଉ ନ ଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆଳୁ ଟ୍ରକ୍ ଓଡ଼ିଶା ଆସିଥିଲା। ସେହି ସମୟରେ ମଧ୍ୟ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଆଗକୁ ଆଳୁ ଉତ୍ତରପ୍ରଦେଶରୁ ଅଣାଯିବ ବୋଲି ସୂଚନା ଦେଇଥିଲେ। ଉତ୍ତରପ୍ରଦେଶରେ ଭାଜପା ନେତୃତ୍ୱାଧୀନ ଯୋଗୀ ଆଦିତ୍ୟନାଥଙ୍କ ସରକାର ଥିବାରୁ ସେଠାରୁ ଆଳୁ ଆଣିବାକୁ ଓଡ଼ିଶା ନେତୃତ୍ୱୀଧୀନ ଭାଜପା ସରକାର ଚିନ୍ତା କରୁଥିବା ଆଲୋଚନା ହେଉଛି।