TVKରେ ସାମିଲ ୬ AIADMK ବିଧାୟକଙ୍କ ବିରୋଧରେ ଆଗତ ପିଟିସନ ସୁପ୍ରିମକୋର୍ଟରେ ଖାରଜ

0

 ସୁପ୍ରିମକୋର୍ଟ ସୋମବାର ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନିତ୍ର କଝଗମ (ଏଆଇଏଡିଏମକେ)ର ସେହି ୬ ବିଧାୟକଙ୍କ ବିରୋଧରେ ରୁଜୁ ପିଟିସନ ଖାଜର କରିଦେଇଛନ୍ତି, ଯେଉଁମାନେ ପାର୍ଟି ହ୍ୱିପ ବିପକ୍ଷରେ ଯାଇ ଭୋଟ ଦେବା ପରେ ବିଧାନସଭାରୁ ଇସ୍ତଫା ଦେଇଥିଲେ ଓ ପରେ ଶାସକ ତମିଝାଗା ଭେଟ୍ରି କଝଗମ (ଟିଭିକେ)ରେ ସାମିଲ ହୋଇଯାଇଥିଲେ। ମାମଲାରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ଶୁଣାଣିରେ କଡ଼ା ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯଦି କେହି ଇସ୍ତଫା ଦେଇ ମନ୍ତ୍ରୀ ହେଉଛନ୍ତି, ତେବେ ଏହା ରାଜନୈତିକ ପ୍ରକ୍ରିୟାର ଅଂଶବିଶେଷ।

ଏହା ପୂର୍ବରୁ ହାଇକୋର୍ଟ କହିଥିଲେ ଯେ ବିଧାନସଭା ଆସନରୁ ଇସ୍ତଫା ଦେବା ସାମ୍ବିଧାନିକ ବ୍ୟବସ୍ଥାର ଏକ ଅଂଶବିଶେଷ ଏବଂ ଆଇନ ବାହାରେ କୌଣସି ସର୍ତ୍ତାବଳୀ ଏଥିରେ ନ୍ୟାୟିକ ଆଦେଶ ଭାବେ ଲାଗୁ କରାଯାଇ ପାରିବନି। ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟ ସେପ୍ଟେମ୍ବର ୨୪ରେ ଏ ନେଇ ରୁଜୁ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଥିଲେ। ଏହି ଆବେଦନରେ ନିର୍ବାଚନ ଖର୍ଚ୍ଚ ସୁରକ୍ଷା ତନ୍ତ୍ର ଗଠନ କରିବା ତଥା ଦଳ ବଦଳ କରିଥିବା ଏଆଇଏଡିଏମକେର ୬ ବିଧାୟକଙ୍କୁ ୫ ବର୍ଷ ନିମନ୍ତେ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରାଯାଇଥିଲା।

ଆବେଦନରେ ନିର୍ବାଚନ ଆୟୋଗ(ଇସିଆଇ) ଓ ତାମିଲନାଡୁ ମୁଖ୍ୟ ନିର୍ବାଚନ ଅଧିକାରୀ (ଏସଇଓ)ଙ୍କୁ ‘ନିର୍ବାଚନ ବ୍ୟୟ’ ସୁରକ୍ଷା ତନ୍ତ୍ର ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ନିବେଦନ କରାଯାଇଥିଲା। ଏଥିରେ ଯଦି କେହି ଏବେକା ବିଧାୟକ ତାଙ୍କ ଆସନରୁ ଇସ୍ତଫା ଦେଇ ପରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ ଲଢନ୍ତି ତେବେ ଉପ ନିର୍ବାଚନ ବାବଦେ ହୋଇଥିବା ରାଜକୋଷ ବ୍ୟୟର ସମାନ ରାଶି ପ୍ରଥମେ ଜମା କରିବା ଲାଗି ପ୍ରାବଧାନ ଆଣିବାର ବ୍ୟବସ୍ଥା କରିବାକୁ ନିବେଦନ କରାଯାଇଥିଲା।

ମାଡ୍ରାସ ହାଇକୋର୍ଟ ଅକ୍ଟୋବର ୧୩ ତାରିଖରେ ତାମିଲନାଡୁ ବିଧାନସଭା ବାଚସ୍ପତି ଜେ.ସି.ଡି ପ୍ରଭାକରଙ୍କ ସେହି ନିଷ୍ପତ୍ତିକୁ ଉପଯୁକ୍ତ କହିଥିଲେ ଯେଉଁଥିରେ ସେ ଏଆଇଏଡିଏମକେର ୬ ବିଧାୟକଙ୍କ ଇସ୍ତଫା ସ୍ୱୀକାର କରିଥିଲେ। ଏହି ବିଧାୟକମାନେ ପରେ ଶାସକ ଟିଭିକେ ପାର୍ଟିରେ ସାମିଲ ହୋଇଯାଇଥିଲେ। ହାଇକୋର୍ଟ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେ ଏଆଇଏଡିଏମକେ ହ୍ୱିପ୍ କୃଷ୍ଣ ମୂର୍ତ୍ତୀଙ୍କ ସେହି ଆବେଦନ ଉପରେ ୨ ମାସ ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ ଯେଉଁଥିରେ ଏସ୍.ଜୟକୁମାର, ମରଗଥମ କୁମାର ଭେଲ, ପି.ସତ୍ୟଭାମା ଓ ଏସକ୍କି ସୁବେୟାଙ୍କୁ ବିଧାନସଭାରେ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରାଯାଇଥିଲା।

ପେରୁନ୍ଦୁରଈ, ମଦୁରନ୍ତକମ ଓ ଧାରାପୁରମ ବିଧାନସଭା ନିର୍ବାଚନମଣ୍ଡଳିରୁ ନିର୍ବାଚିତ ଏସ୍. ଜୟକୁମାର, ମରଗଥମ କୁମାର ଭେଲ ଓ ସତ୍ୟଭାମା ୨୫ ମେ ୨୦୨୬ରେ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତେବେ ଅମ୍ବାସମୁଦ୍ରମ ନିର୍ବାଚନମଣ୍ଡଳିରୁ ନିର୍ବାଚିତ ଏସକ୍କି ସୁବେୟା ତା ପରଦିନ ସଦସ୍ୟତା ତ୍ୟାଗ କରିଥିଲେ। ଏମାନେ ସମସ୍ତେ ଏପ୍ରିଲ ମାସରେ ହୋଇଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଏଡିଏମକେ ଟିକେଟରେ ନିର୍ବାଚନ ଜିଣିଥିଲେ।

ଇସ୍ତଫା ଦେବା ପରେ ସେମାନେ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟ ନେତୃତ୍ୱାଧୀନ ଶାସକ ଦଳ ଟିଭିକେର ଯୋଗ ଦେଇଥିଲେ। ମରଗଥମ ଓ ସତ୍ୟଭାମା ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ଉପନିର୍ବାଚନରେ ଟିଭିକେ ପ୍ରାର୍ଥୀ ରୂପେ ଯଥାକ୍ରମେ ମଦୁରନ୍ତକମ ଓ ଧାରାପୁରମ ନିର୍ବାଚନମଣ୍ଡଳିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.