ଚାଲିଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ: ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ଭୋଟିଂ

0

ଝାରସୁଗୁଡ଼ା (ଆମ ଟିଭି): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ଭୋଟିଂ ହୋଇଛି । ୬୨ ହଜାର ୪୧୯ ଜଣ ପୁରୁଷ ଓ ୫୯ ହଜାର ୯୬୩ ଜଣ ମହିଳା ଭୋଟ ଦେଇଛନ୍ତି । ୭ ଜଣ ତୃତୀୟ ଲିଙ୍ଗୀ ଭୋଟ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ପୋଲିଂ କର୍ମଚାରୀଙ୍କୁ ନେଇ ପିଙ୍କ୍ ବୁଥ୍ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଭୋଟରଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି । ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ରହିଥିବାବେଳେ ୨୫୩ଟି କେନ୍ଦ୍ରରେ ମତଦାନ ହେଉଛି । ପ୍ରଥମ ଥର ପାଇଁ ସବୁ ବୁଥରେ ଓ୍ୱେବକାଷ୍ଟିଂ କରାଯାଉଛି ।

ସମସ୍ତ ବୁଥ୍ ଗୁଡ଼ିକରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୬ଟି ପିଙ୍କ୍ ଓ ମ୍ୟୁନିସିପାଲିଟି ଅଞ୍ଚଳକୁ ଛାଡ଼ି ବିଭିନ୍ନ ପଞ୍ଚାୟତରେ କରାଯାଇଛି ୪୦ଟି ମଡେଲ ବୁଥ୍ । ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ ଅଧିକାରୀ ଓ ମହିଳା ପୋଲିସ ଅଧିକାରୀ ରହିଛନ୍ତି । ମଡେଲ ବୁଥ୍ ଗୁଡିକରେ ଦହି, ଲସି, ଓଆରଏସ ପାଣି ଓ ଲେମ୍ବୁପାଣି ମିଳୁଛି । ଭୋଟରଙ୍କ ପାଇଁ ନିର୍ମାଣ ହୋଇଛି ପ୍ରତୀକ୍ଷାଳୟ । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହୁଇଲ ଚେୟାର ଏବଂ ରାମ୍ପ୍ ବ୍ୟବସ୍ଥା କରାଯାଇଛି ।

 

Leave A Reply

Your email address will not be published.