ଆତ୍ମା-ଶରୀର-ମନର କାହାଣୀ ସହ ‘ବିଦେହ’, କେବେ ଆସିବ ପରଦାକୁ?
ନିଛକ ଓଡ଼ିଆ ମାଟିର ଗନ୍ଧ ଓ ଓଡ଼ିଶାର ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ନୂତନ ଓଡ଼ିଆ ଚଳଚ୍ଚିତ୍ର ‘ବିଦେହ’ ଆସନ୍ତା ମେ 15 ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ମୁକ୍ତି ପୂର୍ବରୁ ଚଳଚ୍ଚିତ୍ରର କାହାଣୀ ଓ ସେଥିରେ ଥିବା ସୂକ୍ଷ୍ମ ଭାବନାକୁ ଦର୍ଶକଙ୍କ ପାଖକୁ ପହଞ୍ଚାଇବା ପାଇଁ ଫିଲ୍ମର ପୁରା ଟିମ୍ ପ୍ରତିକ୍ରିୟା ରଖିଛନ୍ତି।
ବିବାହ ପରେ ଜଣେ ନାରୀଙ୍କ ସ୍ୱାଧୀନତାର ସହ ବଞ୍ଚିବାର ଆକାଂକ୍ଷା ଓ ନିଜସ୍ୱ ପରିଚୟ ଖୋଜାର ଭିନ୍ନ ଧାରଣାକୁ ନେଇ ଏହି ସିନେମାର କାହାଣୀ ଗଢ଼ାଯାଇଛି। ବୟସ ବଢ଼ିଲେ ମଧ୍ୟ ମନର ସ୍ପୃହା କେବେ ମରେନାହିଁ—ଏହି ଭାବନାକୁ କେନ୍ଦ୍ର କରି ଗଢ଼ାଯାଇଥିବା କାହାଣୀରେ ଆତ୍ମା, ଶରୀର ଓ ଇଚ୍ଛା ମଧ୍ୟରେ ଥିବା ସୀମାକୁ ପ୍ରଶ୍ନ କରାଯାଇଛି।
ଚଳଚ୍ଚିତ୍ରରେ ଭୁବନେଶ୍ୱରରେ ବସବାସ କରୁଥିବା ଜଣେ ସମ୍ପନ୍ନ ପରିବାରର ନାରୀ ଓ ତାଙ୍କର ତିନିଜଣ ଅନ୍ତରଙ୍ଗ ସାଙ୍ଗଙ୍କ ଜୀବନକୁ ନେଇ ସମସାମୟିକ ସମାଜର ମନୋବୃତ୍ତି, ଦ୍ୱନ୍ଦ ଓ ଅସ୍ତିତ୍ୱର ସନ୍ଧାନକୁ ସୂକ୍ଷ୍ମ ଭାବରେ ଚିତ୍ରିତ କରାଯାଇଛି। ପ୍ରେମ, ସମ୍ପର୍କ ଓ ଭିତରୁ ଭାଙ୍ଗିଯିବାର ଅନୁଭୂତିକୁ ଏହି ସିନେମା ଗଭୀରତାର ସହ ଦେଖାଇବ।
ଷ୍ଟାରକାଷ୍ଟ:
ଏହି ଚଳଚ୍ଚିତ୍ରରେ କାଜଲ ସତପଥୀ, ଉଷାଶୀ ମିଶ୍ର, ସୁକାନ୍ତ ରଥ, ଗୌରବ ମହାନ୍ତି, ଡେଜି, ଏଲିନା ଓ କୌଶିକ ମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚରିତ୍ରଗୁଡ଼ିକ ଭିନ୍ନ ଧରଣର ଥିବା ସହ ଘରୋଇ ଜୀବନର ଅନେକ ଅକୁହା କଥାକୁ ଦର୍ଶକ ଦେଖିପାରିବେ ।‘ଟ୍ୱେଣ୍ଟି ଫୋର ଜାନୁଆରୀ ପ୍ରଡକ୍ସନ’ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜିକା ବିୟୋତପ୍ରଜ୍ଞା ତ୍ରିପାଠୀ ଓ କାର୍ଯ୍ୟକାରୀ ପ୍ରଯୋଜିକା ବେଦୟାନା ତ୍ରିପାଠୀ। କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦେଶନା ମଧ୍ୟ ବିୟୋତପ୍ରଜ୍ଞା ତ୍ରିପାଠୀ ଦେଇଛନ୍ତି। ଦେବଦାସ ଛୋଟ ରାୟ ଗୀତ ଲେଖିଥିବା ବେଳେ ଶରତ ନାୟକ ସ୍ୱର ସଂଯୋଜନା କରିଛନ୍ତି।