ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ନେତା ତଥା ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ଏଥର କେଉଁଠୁ ଲଢିବେ ନିର୍ବାଚନ? ୨୦୨୪ ସାଧାପଣ ନିର୍ବାଚନରେ ରାହୁଲଙ୍କୁ ୱାଏନାଡ ଆସନ ଛାଡିବାକୁ ପଡିବ କି । ଏହି ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଇଣ୍ଡିଆନ ୟନିଅନ୍ ମୁସଲିମ ଲିଗ୍ ବା ଆଇୟୁଏମଏଲ କେରଳରେ ତିନୋଟି ଲୋକସଭା ଆସନ ଦାବି କରୁଛି । ସେପଟେ ସିପିଆଇଏର ଶୀର୍ଷ ନେତା ଡି ରାଜାଙ୍କ ପତ୍ନୀ ଆନି ରାଜାଙ୍କୁ ୱାଏନାଡରୁ ପ୍ରାର୍ଥୀ କରାଯାଇଛି ।
ବିଜେପିକୁ ମାତ୍ ଦେବାକୁ ଇଣ୍ଡିଆ ମେଂଟ ଗଠନ ହୋଇଛି । ଏହି ମେଂଟର ସଦସ୍ୟ ରହିଛି ସିପିଆଇ । ହେଲେ ୱାଏନାଡ ମୁସଲିମ୍ ବୁହଳ ଅଂଚଳ ହୋଇଥିବାରୁ ଆଇୟୁଏମଏଲ ଏହି ଆସନ ପାଇଁ ଦାବି କରୁଛି । ଅନ୍ୟପଟେ ସିପିଆଇ ପ୍ରାର୍ଥୀ ଘୋଷଣା କରିବା ପରେ ଏହି ଆସନକୁ ନେଇ ଅଡୁଆ ବଢିଛି । ଆଉ ଏହି ଦୁଇ ଦଳ ଇଣ୍ଡିଆ ମେଂଟରେ ଅଛନ୍ତି । ଏପରି ସ୍ଥିତିରେ ରାହୁଲ ଗାନ୍ଧୀ ପ୍ରାର୍ଥୀ ହୋଇ ମେଂଟ ସହଯୋଗୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ । ମେଂଟ ଧର୍ମ ରକ୍ଷା କରିବାକୁ ଯାଇ ରାହୁଲ ଗାନ୍ଧୀ ୱାଏନାଡ ଆସନ ଛାଡିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । କିନ୍ତୁ କଂଗ୍ରେସ ଏ ବାବଦରେ କିଛି କହି ନାହିଁ ।
ନିକଟରେ ୟୁପିରେ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀ ଆମେଠିରୁ ପୁଣିଥିରେ ପ୍ରାର୍ଥୀ ହେବେ କି ନାହିଁ ଚର୍ଚ୍ଚା ହୋଇଥିଲା । ସେତେବେଳେ ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଥିଲେ, ଆମେଠି ଗାନ୍ଧୀ ପରିବାର ପାଇଁ ସମ୍ମାନର ପ୍ରଶ୍ନ । ଏହା ତାଙ୍କର ପରିବାରର ଆସନ । କିନ୍ତୁ ଏବେ ରାହୁଲ ୨୦୨୪ରେ ପୁଣିଥରେ ପ୍ରାର୍ଥୀ ହେବେ କି ନାହିଁ ତାହା ଦଳ ନିଷ୍ପତି ନେବ । କିନ୍ତୁ ୟୁପିରେ ବିଜେପି ଯେଉଁଭଳି ମଜବୁତ ହୋଇଛି ଏବଂ ଅନ୍ତିମ ବିଧାନସଭା ଓ ଲୋକସଭା ଫଳାଫଳକୁ ଦେଖିଲେ ରାହୁଲଙ୍କ ପାଇଁ ୟୁପି ଚ୍ୟାଲେଞ୍ଜ ହେବ । ଏପରି ସ୍ଥିତିରେ ରାହୁଲ ଗାନ୍ଧୀ ସେଫ ସିଟ୍ ପାଇଁ ଦୁଇ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଉପରେ ଫୋକସ କରିପାରନ୍ତି । ନିକଟରେ ରାହୁଲ ଗାନ୍ଧୀ ସାଂସଦ ପଦ ହରାଇଥିଲେ । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ସାଂସଦ ପଦ ଫେରି ପାଇଛନ୍ତି । କୁହାଯାଉଛି ରାହୁଲ ଗାନ୍ଧୀ ସଂସଦକୁ ନିର୍ବାଚିତ ହୁଅନ୍ତୁ ବୋଲି ବିଜେପି ଚାହୁଁନାହିଁ ।